ମୁମ୍ବାଇ: ଦକ୍ଷିଣ କୋରିଆର କାର୍ କମ୍ପାନି ହୁଣ୍ଡାଇର ଭାରତୀୟ ଶାଖା ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ଚଳିତମାସରେ ଦେଶର ସର୍ବବୃହତ୍ ଆଇପିଓ( ପ୍ରାରମ୍ଭିକ ପବ୍ଲିକ୍ ଅଫର୍) ଆଣିବ। ଆସନ୍ତା ୧୫ ତାରିଖରେ ଏହା ଆରମ୍ଭ ହେବ। ଆଙ୍କର ନିବେଶକଙ୍କ ପାଇଁ ୧୪ ତାରିଖରେ ଏହା ଖୋଲା ରହିବ। ୨୨ ତାରିଖରେ ଏହା ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାର ସମ୍ଭାବନା ରହିଛି। ଏହି ଆଇପିଓ ଜରିଆରେ ହୁଣ୍ଡାଇ ମୋଟର ଇଣ୍ଡିଆ ମୋଟ୍ ୧୪.୨ କୋଟି ସେୟାର ବିକ୍ରି କରିବ। ଏହା କମ୍ପାନିର ମୋଟ ଅଂଶଧନର ୧୭.୫ ପ୍ରତିଶତ। କମ୍ପାନିର ସେୟାର ପିଛା ଦାମ୍ ୧୮୬୫ ଟଙ୍କାରୁ ୧୯୬୦ ଟଙ୍କା ମଧ୍ୟରେ ରହିବ।
ସେହି ମୂଲ୍ୟରେ ହୁଣ୍ଡାଇ ଇଣ୍ଡିଆ ଆଇପିଓ ଜରିଆରେ ପ୍ରାୟ ୨୭,୮୭୦ କୋଟି ଟଙ୍କା ସଂଗ୍ରହ କରିବ। କମ୍ପାନିର ଯୋଗ୍ୟ କର୍ମଚାରୀମାନେ ସେୟାର ପିଛା ୧୮୬ ଟଙ୍କାର ରିହାତି ପାଇବେ। ୨୦୨୨ରେ ଏଲ୍ଆଇସି ଆଣିଥିବା ଆଇପିଓ ଠାରୁ ଏହା ବଡ଼। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ହୁଣ୍ଡାଇ ଆଇପିଓର ଡ୍ରାଫ୍ଟ ରେଡ୍ ହେରିଂ ପ୍ରସ୍ପେକ୍ଟସକୁ ମଞ୍ଜୁରି ଦେଇଛି। ଉଲ୍ଲେଖଯୋଗ୍ୟ, ହୁଣ୍ଡାଇ ମୋଟର କମ୍ପାନି ଭାରତରେ ୧୯୯୮ ମସିହାରେ ଏହାର ବେଷ୍ଟ୍ ସେଲିଂ କାର୍ ସାଣ୍ଟ୍ରୋ ଜରିଆରେ ଭାରତରେ ପ୍ରବେଶ କରିଥିଲା। ସଂପ୍ରତି ଭାରତରେ ୧୫ ପ୍ରତିଶତ ବଜାର ଅଂଶ ସହ ଏହା ଦେଶର ଦ୍ବିତୀୟ ବୃହତ୍ କାର୍ କମ୍ପାନି ରହିଛି।