ମୁଁ କଂଗ୍ରେସ ଅମଳରେ ୮ ମାସ, ବିଜେପି ଅମଳରେ ୨୬ ମାସ କାମ କରିଛି : ରଘୁରାମ ରାଜନ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ୍‌ଙ୍କ ସମୟରେ ସବୁଠୁ ଖରାପ୍ ସ୍ଥିତି ଦେଇ ଗତି କରିଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ କିଛିଦିନ ପୂର୍ବେ ଆମେରିକାରେ କହିଥିଲେ। ଏହାର ଜବାବ ରଘୁରାମ ରାଜନ୍ ରଖିଛନ୍ତି। କଂଗ୍ରେସ ସରକାର ଅମଳରେ କମ୍ ଏବଂ ବିଜେପି ସରକାର ସମୟରେ ଅଧିକ ସମୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ସେ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି। ୨୦୧୩ ମସିହା ସେପ୍ଟେମ୍ବର ୫ ତାରିଖରେ ରାଜନ୍ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିଲା। ଏହି ସମୟ ମଧରୁ ସେ କଂଗ୍ରେସ ସରକାର ଅମଳରେ ୮ ମାସରୁ କିଛି ଅଧିକ ସମୟ ଏବଂ ବିଜେପି ସରକାର ଅମଳରେ ପ୍ରାୟ ୨୬ ମାସ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି। ସୀତାରମଣ ଦେଇଥିବା ବିବୃତି ସମ୍ପର୍କରେ ମତ ଦେଇ ରାଜନୈତିକ ବିବାଦ ଭିତରକୁ ପ୍ରବେଶ କରିବାକୁ ସେ ମନା କରିଥିଲେ ମଧ୍ୟ ଏହା କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାକୁ ହେଲେ ନୂଆ ପିଢ଼ିର ସଂସ୍କାର ଆବଶ୍ୟକ। ୫ ପ୍ରତିଶତ ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ବଡ଼ଧରଣର ମାନ୍ଦାବସ୍ଥା ଦେଇ ଗତି କରୁଛି ବୋଲି ସେ କହିଛନ୍ତି। ତେବେ ଦେଶରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ତାଙ୍କ ସମୟରୁ ଆରମ୍ଭ କରାଯାଇଥିବା ପଦକ୍ଷେପ ଏବେ ଜାରି ରହିଛି। ଏହାକୁ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ। ଏଥିସହିତ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକର ସ୍ଥିତିରେ ମଧ୍ୟ ସୁଧାର ଅଣାଯିବା ଆବଶ୍ୟକ ବୋଲି ରାଜନ୍ ମତ ଦେଇଛନ୍ତି।

ତେବେ ରାଜନ୍ କହିଛନ୍ତି, ୨୦୦୮ରେ ଦେଖାଦେଇଥିବା ବିଶ୍ବ ମାନ୍ଦାବସ୍ଥା ପୂର୍ବରୁ ଭାରତରେ ଉତ୍ସାହ ବା ଉନ୍ମାଦ ସୃଷ୍ଟି ପାଇଁ ସମସ୍ୟାର ମଞ୍ଜି ବୁଣାଯାଇଥିଲା। ସେହି ସମୟରେ ବିପୁଳ ପରିମାଣର ପୁଞ୍ଜିନିବେଶ ହୋଇଥିଲା। କିନ୍ତୁ ପରେ ତାହା ମନ୍ଥର ହୋଇଯାଇଥିଲା। ଏଥିଯୋଗୁଁ ବ୍ୟାଙ୍କ ଗୁଡ଼ିକରେ ଏନ୍‌ପିଏ ସମସ୍ୟା ଦେଖାଦେଇଥିଲା। ଆମେ ସେହି ଏନ୍‌ପିଏ ସମସ୍ୟାକୁ ଦୂର କରିବା ପାଇଁ ପ୍ରଚେଷ୍ଟା କରିଥିଲୁ। ସେହି ସମସ୍ୟାକୁ ଚିହ୍ନଟ କରିବା ସହିତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ପ୍ରବାହ କରିଥିଲୁ। ସେହି କାର୍ଯ୍ୟ ଏବେ ଅଧା ମାତ୍ରାରେ ଶେଷହୋଇଛି। କେବଳ ବ୍ୟାଙ୍କ ଗୁଡ଼ିକ ନୁହନ୍ତି, ଅଣବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ ବା ଏନ୍‌ବିଏଫ୍‌ସି ଗୁଡ଼ିକରେ ମଧ୍ୟ ଏପ୍ରକାର ସମସ୍ୟା ଏବେ ଦେଖାଦେଇଛି। ତେଣୁ ସେହିସବୁ ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି ରାଜନ କହିଛନ୍ତି।

ସମ୍ବନ୍ଧିତ ଖବର