ପୁଅ ସହ ବୁଝାମଣା ହୋଇନି, ତାର ଉଦ୍ଦେଶ୍ୟ କ’ଣ ମୁଁ ଜାଣିନି: ସିଂଘାନିଆ

ମୁମ୍ବାଇ: କିଛି ଦିନ ପୂର୍ବେ ରେମଣ୍ଡ ଗ୍ରୁପ୍‌ର ପ୍ରତିଷ୍ଠାତା ବିଜୟପତ୍ ସିଂଘାନିଆ ଓ ତାଙ୍କ ସାନ ପୁଅ ଗୌତମ ସିଂଘାନିଆଙ୍କ ଏକ ଫଟୋ ‌ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘଦିନ ବିବାଦର ଅନ୍ତ ହୋଇଥିବା ଆଭାସ ମିଳିଥିଲା। କିନ୍ତୁ ଏହି ଫଟୋ ପଛର ରହସ୍ୟ ଉପରୁ ବାପା ବିଜୟପତ୍ ପରଦା ଉଠାଇଛନ୍ତି। ପୁଅ ସହ କୌଣସି ବୁଝାମଣା ହୋଇନଥିବା ସେ କହିଛନ୍ତି। ବିଜୟପତ୍ କହିଛନ୍ତି ଯେ ମୁଁ ସେଦିନ ବିମାନବନ୍ଦର ଆଡ଼କୁ ଯାତ୍ରା କରୁଥିଲି। ସେହି ସମୟରେ ମୋତେ ଗୌତମଙ୍କ ଲୋକ ଫୋନ୍ କରି ଜେକେ ହାଉସ୍‌ ଆସିବାକୁ କହିଥିଲେ। ପ୍ରଥମେ ମୁଁ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲି। ଏହା ପରେ ଗୌତମ ନିଜେ ମୋତେ ଫୋନ୍ କରି କେବଳ କଫି ପିଇବା ଲାଗି ଆସିବାକୁ କହିଥିଲା।

ଇଚ୍ଛା ନଥିବା ସତ୍ତ୍ବେ ମୁଁ ଯାଇଥିଲି। ତା’ପରେ ମୁଁ ବିମାନବନ୍ଦର ଅଭି‌ମୁଖେ ବାହାରି ଯାଇଥିଲି। କିଛି ସମୟ ପରେ ଆମ ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଦେଖି ମୁଁ ଚକିତ ହୋଇଯାଇଥିଲି। ଏହା ପଛରେ ଗୌତମ କ’ଣ ଉଦ୍ଦେଶ୍ୟ ଅଛି ମୁଁ ଜାଣିନି। ମୁଁ ଆଉ କେବେବି ଜେକେ ହାଉସ୍ ଯିବିନି ବୋଲି ବିଜୟପତ୍‌ କହିଛନ୍ତି। ୨୦୧୫ରେ ପୁଅ ଗୌତମ ନାମରେ ସବୁ ସମ୍ପତ୍ତି କରିଦେବା ପରେ ବିଜୟପତ୍‌ଙ୍କୁ ପୁଅ ଘରୁ ବାହାର କରିଦେଇଥିଲେ। ଏବେ ସେ ଅଲଗା ରହୁଛନ୍ତି ଓ ଚଳିବାକୁ ସଂଘର୍ଷ କରୁଛନ୍ତି। ପୁଅକୁ ସବୁ ସମ୍ପତ୍ତି ଦେବା ମୋ ଜୀବନର ସବୁଠୁ ବଡ଼ ଭୁଲ ଥିଲା ବୋଲି ସେ ଏବେବି କହୁଛନ୍ତି। ଗୌତମ ମୋର କୌଣସି କଥା ଶୁଣେ ନାହିଁ। ଯଦି ତାକୁ କୌଣସି କଥା ଭଲ ଲାଗେ ନାହିଁ ତେବେ ସେ ମୋ ଉପରେ ଚିଲାଇଥାଏ। ଦରକାର ପଡ଼ିଲେ ମୋତେ ନିର୍ଯ୍ୟାତନା ଦିଏ। ପୂର୍ବରୁ ସେ ଏଭଳି କାମ କରିଛି। ସେଥିପାଇଁ ମୁଁ ଯଥା ସମ୍ଭବ ତା’ଠାରୁ ଦୂରେଇ ରହିବାକୁ ଚାହୁଛି ବୋଲି ବିଜୟପତ୍ କହିଛନ୍ତି।

ସମ୍ବନ୍ଧିତ ଖବର