ନୂଆଦିଲ୍ଲୀ: ଆୟକର ବିଭାଗ ୯୦୦ ବେନାମୀ ସଂପତ୍ତିକୁ ବାଜ୍ୟାପ୍ତ କରିଛି, ଯାହାର ମୂଲ୍ୟ ୩,୫୦୦ କୋଟି ଟଙ୍କା ହେବ ବୋଲି, ଆଜି ଆୟକର ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ୨୦୧୬ ନଭେମ୍ବର ୧ ତାରିଖରେ ଦେଶରେ ବେନାମୀ ସଂପତ୍ତି ନିଷେଧାଜ୍ଞା ଆଇନ୍ ଲାଗୁ ହେବା ପରଠାରୁ ବିଭାଗ ପକ୍ଷରୁ ଆଜି ସୁଦ୍ଧା ଏହି ସମସ୍ତ ବାଜ୍ୟାପ୍ତି କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି।
ବିଭାଗ ପକ୍ଷରୁ ବାଜ୍ୟାପ୍ତ ହୋଇଥିବା ୯୦୦ ସଂଖ୍ୟକ ବେନାମୀ ସଂପତ୍ତି ମଧ୍ୟରେ ଜମି, ଘର, ଫ୍ଲାଟ୍, ଦୋକାନ, ଅଳଙ୍କାର, ଗାଡ଼ି, ବ୍ୟାଙ୍କ୍ ଜମା ଆଦି ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି। ବାଜ୍ୟାପ୍ତ ହୋଇଥିବା ସମସ୍ତ ସଂପତ୍ତିର ମୋଟ ମୂଲ୍ୟ ୩,୫୦୦ କୋଟି ହୋଇଥିବା ବେଳେ କେବଳ ମାତ୍ର ଜବତ ହୋଇଥିବା ଅସ୍ଥାବର ସଂପତ୍ତିର ମୂଲ୍ୟ ୨,୯୦୦ କୋଟି ଥିବା ଜଣାଯାଇଛି।
ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଦେଶରେ କଳାଧନ ଉପରେ ରୋକ୍ ଲଗାଇବା ପାଇଁ ସରକାର ୨୦୧୬ ନଭେମ୍ବର ୧ ତାରିଖରେ ଦେଶରେ ବେନାମୀ ସଂପତ୍ତି ନିଷେଧାଜ୍ଞା ଆଇନ୍ ଲାଗୁ କଲାପରେ ଆୟକର ବିଭାଗର ଅନୁସନ୍ଧାନ ନିର୍ଦ୍ଦେଶାଳୟ ଅଧୀନରେ ଦେଶରେ ଥିବା ବେନାମୀ ସଂପତ୍ତିକୁ ଠାବ କରିବା ପାଇଁ ୨୪ଟି ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ଉଲ୍ଲେଖଯୋଗ୍ୟ, ନୂଆ ଆଇନ୍ରେ ସରକାର ବେନାମୀ ସଂପତ୍ତିକୁ ଏକ ଅପରାଧ ରୂପେ ଘୋଷଣା କରିବା ସହ ବେନାମୀ ସଂପତ୍ତିଧାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ବାଜ୍ୟାପ୍ତ ସଂପତ୍ତିର ୨୫ ପ୍ରତିଶତ ଜରିମାନା ଆଦାୟ ପାଇଁ ଆଇନ୍ରେ ବ୍ୟବସ୍ଥା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/khitish-raid-in-bbsr-private-hospital.jpg)