ଭୁବନେଶ୍ବର: ମାଲେସିଆର ପେନାଙ୍ଗରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଆଡର୍ଭଟାଇଜିଂ ଆସୋସିଏସନ(ଆଇଏଏ) ୱାର୍ଲଡ୍‌ କଂଗ୍ରେସ କାର୍ଯ୍ୟକ୍ରମରେ ଆଇଏଏର ଭାରତୀୟ ଚାପ୍ଟରକୁ ୩ଟି ପୁରସ୍କାର ମିଳିଛି। ପେନାଙ୍ଗର ଗଭର୍ଣ୍ଣର ଟୁନ ଅହମ୍ମଦ ଫୁଜି ଅବ୍‌ଦୁଲ ରଜାକ୍‌ ଆର୍‌ କେ ସ୍ବାମୀ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସନ ସ୍ବାମୀଙ୍କୁ ସମ୍ମାନଜନକ ଆଇଏଏ ଗୋଲ୍‌ଡେନ୍ କମ୍ପାସ୍‌ ଆୱାର୍ଡ ପ୍ରଦାନ କରିଛନ୍ତି। ବିଶ୍ବର ମାକେଟିଂ, ବିଜ୍ଞାପନ ଓ ଗଣମାଧ୍ୟମ ଶିଳ୍ପ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା କିମ୍ବଦନ୍ତୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଥମ ଥର ପାଇଁ ଭାରତୀୟ ଶିଳ୍ପର ଜଣେ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ସ୍ବାମୀ ବର୍ତ୍ତମାନ ଦି ଏସିଆନ୍ ଫେଡେରେସନ୍ ଅଫ୍‌ ଆଡଭର୍ଟାଇଜିଂ ଆସୋସିଏସନ୍ସ (ଏଏଫ୍‌ଏଏ) ଓ ଦି ଅଡିଟ୍‌ ବ୍ୟୁରୋ ଅଫ୍‌ ସର୍କୁଲେସନ୍ସ (ଏବିସି)ର ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି। ପୂର୍ବରୁ ଓଗିଲ୍‌ଭି ଆଣ୍ଡ୍‌ ମାଥରର ସେବାନିବୃତ୍ତ ଅଧ୍ୟକ୍ଷ ସେଲି ଲାଜାରୁସ୍, ୟୁନିଲିଭର୍‌ର ସିଇଓ ପଲ୍‌ ପୋଲ୍‌ମ୍ୟାନ୍, ଇକୋନମିଷ୍ଟ ଗ୍ରୁପ୍‌ର ସଭାପତି ପଲ୍ ରୋସି, ପ୍ରକ୍ଟର ଆଣ୍ଡ୍‌ ଗ୍ୟାମ୍ବଲ୍‌ର ଚିଫ୍‌ ବ୍ରାଣ୍ଡ୍‌ ଅଫିସର ମାର୍କ ପ୍ରିଟଚାର୍ଡ ଓ ବିବିଡିଓ ୱାର୍ଲଡୱାଇଡ୍‌ର ସଭାପତି ଓ ସିଇଓ ଆଣ୍ଡ୍ର୍ୟୁ ରବର୍ଟସନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ଶ୍ରୀ ସ୍ବାମୀ, ରମେଶ ନାରାୟଣ, ନୀନା ଦାସଗୁପ୍ତା, ପ୍ରଦୀପ ଦ୍ବିବେଦୀ, ଜୟଦୀପ ଗାନ୍ଧୀ ଓ ସୌ‌ମେନ ସନ୍ତାରା ପ୍ରମୁଖ ଯୋଗ ଦେଇଥିଲେ। ସୁନ୍ଦର ସ୍ବାମୀ ଭାବେ ପରିଚିତ ଶ୍ରୀ ସ୍ବାମୀ କହିଛନ୍ତି ଯେ ମୋ କମ୍ପାନିର ସମସ୍ତ ପେସାଦାର ଓ ମୋତେ କାମରେ ସହଯୋଗ କରିଥିବା ସମସ୍ତଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ମୁଁ ମୋ ବାପା ସ୍ବର୍ଗତଃ ଆର୍‌ କେ ସ୍ବାମୀଙ୍କୁ ଏହି ପୁରସ୍କାର ସମର୍ପିତ କରିବାକୁ ଚାହୁଛି। ସେ ଥରେ ମୋତେ କହିଥିଲେ ଯେ ଶିଳ୍ପକୁ ଦିଆଯାଉଥିବା କୌଣସି ସମୟ ଅପଚୟ ହୁଏ ନାହିଁ। କାରଣ ସେହି ହାତଗୁଡ଼ିକ ଆମକୁ ଖାଇବା ଦେଇଥାନ୍ତି ବୋଲି ସେ କହିଛନ୍ତି।

ବିଜ୍ଞାପନ ଶିଳ୍ପର ଭେଟେରାନ୍ ରମେଶ ନାରାୟଣ କହିଛନ୍ତି ଯେ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ି ଉଚ୍ଚ ଲକ୍ଷ୍ୟ ଧାର୍ଯ୍ୟ କରିବା ଓ ତାହାକୁ ହାସଲ କରିବାରେ ସୁନ୍ଦରଙ୍କ ଦକ୍ଷତା ପ୍ରେରଣାଦାୟକ। ଏତେ ବଡ଼ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳିବା ସତ୍ତ୍ବେ ସବୁ କିଛି ପାଇଁ ତାଙ୍କ ପାଖରେ ସମୟ ରହୁଥିବା ମୋତେ ରୋମାଞ୍ଚିତ କରୁଛି। ମୁଁ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି। ଶ୍ରୀ ସ୍ବାମୀ ଲଗାତାର ତିନି ଥର ଭାରତୀୟ ବିଜ୍ଞାପନ ଏଜେନ୍ସି ସଂଘ (ଏଏଏଆଇ)ର ସଭାପତି ଓ ଆଇଆଇଏ ଭାରତୀୟ ଚାପ୍ଟରର ସଭାପତି ଭାବେ ଚାରି ବର୍ଷ କାମ କରିଛନ୍ତି। କନଫେଡେରେସନ୍ ଅଫ୍‌ ଇଣ୍ଡିଆନ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏସନ୍ସର ସେ ହେଉଛନ୍ତି ଜଣେ ପ୍ରତିଷ୍ଠାତା ସଦସ୍ୟ। ସେ ପ୍ରଥମ ଭାରତୀୟ ଭାବେ ଆଇଏଏର ଅଧ୍ୟକ୍ଷ ଓ ବିଶ୍ବ ସଭାପତି ଭାବେ କାମ କରିଛନ୍ତି। ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡସ କାଉନ୍‌ସିଲ୍ ଅଫ୍‌ ଇଣ୍ଡିଆ, ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ, ମାଡ୍ରାସ ମ୍ୟାନେଜମେଣ୍ଟ ଆସୋସିଏସନ୍, ମାଡ୍ରାସ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଆଡଭର୍ଟାଇଜିଂ କ୍ଲବ୍ ମାଡ୍ରାସ୍‌ର ଅଧ୍ୟକ୍ଷ, ସଭାପତି ଭାବେ ସେ କାର୍ଯ୍ୟ କରିଛନ୍ତି।