ନୂଆଦିଲ୍ଲୀ: ଦୀର୍ଘ ୪୦ ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ)ର ବାର୍ଷିକ ସାଧାରଣ ବୈଠକ ଆୟୋଜନ କରାଯାଇଛି। ଏହାପୂର୍ବରୁ ୧୯୮୩ରେ ଶେଷ ଥର ପାଇଁ ଏହି କାର୍ଯ୍ୟକ୍ରମ ଭାରତରେ ଆୟୋଜନ କରାଯାଇଥିଲା। ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ଚାରି ଦଶନ୍ଧିରେ ଭାରତୀୟ ବିମାନ ଶିଳ୍ପ ବହୁତ ବଦଳିଯାଇଛି। ପୂର୍ବାପେକ୍ଷା ଭାରତର ଆତ୍ମବିଶ୍ବାସ ବହୁତ ବଢ଼ିଛି। ଭାରତୀୟ ବିମାନ ଶିଳ୍ପ ବିଶ୍ବ ବିମାନ ପରିବହନ ଶିଳ୍ପର ଏକ ପ୍ରମୁଖ ଅଂଶ ପାଲଟିଛି।
ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ବର ତୃତୀୟ ବଡ଼ ଘରୋଇ ବିମାନ ଚଳାଚଳ ଶିଳ୍ପ। ‘ଉଡାନ୍’ସ୍କିମ୍ର ସଫଳତା ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ। ୨୦୧୪ ସୁଦ୍ଧା ଭାରତରେ ୭୪ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିଲା। ବର୍ତ୍ତମାନ ସେହି ସଂଖ୍ୟା ୧୬୨ରେ ପହଞ୍ଚିଛି। ବିମାନବନ୍ଦରଗୁଡ଼ିକର କ୍ଷମତା ୫୦ କେଟି ଯାତ୍ରୀଙ୍କୁ ପରିଚାଳନା କରିବା ଭଳି ସ୍ତରକୁ ବୃଦ୍ଧି ପାଇଛି। ଭାରତ ବିଶ୍ବର କିଛି ହାତଗଣତି ଦେଶ ଭିତରୁ ଅନ୍ୟତମ, ଯେଉଁଠାରେ ପ୍ରଯୁକ୍ତି ଜରିଆରେ ଯାତ୍ରୀ ଅନୁଭୂତିରେ ଉନ୍ନତି ଅଣାଯାଉଛି। ବିମାନ କମ୍ପାନିଗୁଡ଼ିକ ଲାଗି ଭାରତ ହେଉଛି ଏକ ପ୍ରମୁଖ ନିବେଶ ସ୍ଥଳ।