କରୋନା ପ୍ରଭାବ : ହଜାର ହଜାର କର୍ମଚାରୀଙ୍କୁ ଛଟେଇ କଲା ଆଇବିଏମ୍

ସାନଫ୍ରାନସିସକୋ : କରୋନା ମହାମାରୀ ପ୍ରଭାବରୁ ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିମାନଙ୍କ ଅବସ୍ଥା ଖରାପ ହୋଇଯାଇଛି । ଏହା ଫଳରେ କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କଲେଣି । ଆମେରିକୀୟ ଟେକନଲୋଜୀ କମ୍ପାନି ଆଇବିଏମ ସାରାବିଶ୍ବରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ଘୋଷଣା କରିଛି । ବର୍ତ୍ତମାନର ପରିସ୍ଥିତି ଓ କମ୍ପାନିର ଦୀର୍ଘ ମିଆଦୀ ସ୍ବାର୍ଥକୁ ଦ୍‌ଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ତେବେ ନିର୍ଦ୍ଦିଷ୍ଟଭାବେ କେତେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେ ସମ୍ପର୍କରେ କମ୍ପାନି ପକ୍ଷରୁ ସୂଚନା ଦିଆଯାଇ ନାହିଁ । ଆହୁରି ମଧ୍ୟ ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଭାରତରେ କେତେ ଛଟେଇ  ହୋଇଛନ୍ତି ତାହା ଜଣାପଡ଼ିନାହିଁ ।  କେବଳ ଛଟେଇ ନୁହେଁ, ପ୍ରାୟ ସବୁ କର୍ମଚାରୀଙ୍କ ଦରମା ମଧ୍ୟ କାଟ କରାଯାଇଛି । ଆଉ ଏକ ଟେକନଲୋଜୀ କମ୍ପାନି ଏଚପି ପକ୍ଷରୁ ମଧ୍ୟ ଅନେକ କର୍ମଚାରୀଙ୍କୁ ଛଟେଇ କରାଯାଇଛି ଓ କର୍ମଚାରୀଙ୍କ ଦରମା କାଟ କରାଯାଇଛି । ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ କଟାଯିବ ବୋଲି ଜଣାଯାଇଛି ।

ବିଶ୍ବରେ କରୋନା ମହାମାରୀ ଵ୍ୟାପିବା ପରେ ପ୍ରାୟ ସବୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ମାନ୍ଦାବସ୍ଥା ଯୋଗୁଁ ବଜାରରେ ଚାହିଦା ହ୍ରାସ ପାଇଛି । ଏହା ଫଳରେ କମ୍ପାନିମାନଙ୍କ କାରବାର ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହା ଫଳରେ ବିଶ୍ବରେ ବେକାରୀ ସମସ୍ୟା ଉତ୍କଟ ହେବା ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର