ଭୁବନେଶ୍ବର : ଭାରତୀୟ କଷ୍ଟ୍ ପ୍ରତିଷ୍ଠାନର କେନ୍ଦ୍ରୀୟ କାର୍ଯ୍ୟାଳୟ ଏବଂ ଭୁବନେଶ୍ବର ଚାପ୍ଟରର ମିଳିତ ଆନୁକୂଲ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ଉପରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରର କର୍ମଶାଳା ବା ମହାକୁମ୍ଭ ଆଜି ଉଦ୍‌ଯାପିତ ହୋଇଯାଇଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ସମେତ କଷ୍ଟ୍ ଆକାଉଣ୍ଟାଣ୍ଟଙ୍କ ପେସା ଏବଂ ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ଦୁଇ ଦିନ ଧରି କଷ୍ଟ୍ ଆକାଉଣ୍ଟାଣ୍ଟ୍‌ମାନେ ମାନସମନ୍ଥନ କରିଥିଲେ। ଏଥିସହିତ ଆୟକର ଅଡିଟ୍ ସୁଯୋଗ ପ୍ରଦାନ କରି କଷ୍ଟ୍ ଆକାଉଣ୍ଟାଣ୍ଟ୍‌ମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ କର୍ମଶାଳାରେ ମତ ପ୍ରକାଶ ପାଇଛି।

Advertisment

କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ମିଳନୀର ଦ୍ବିତୀୟ ଦିନରେ ଆଜି ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ଅର୍ଥନୀତି ଏବଂ ଶିଳ୍ପ ସମୂହ ପ୍ରତି କଷ୍ଟ୍ ଆକାଉଣ୍ଟାଣ୍ଟ୍‌ମାନଙ୍କ ଯୋଗଦାନ ଏବଂ ଭୂମିକା ଉପରେ ଆଲୋକପାତ କରିଥିଲେ। ଜିଏସ୍‌ଟି ନିୟମାବଳୀ, କମ୍ପାନି ନିୟମାବଳୀ, ପ୍ରଚଳିତ ବ୍ୟବସାୟ ଓ ଆର୍ଥିକ ନିୟମାବଳୀ ଅନୁଯାୟୀ କଷ୍ଟ୍ ଆକାଉଣ୍ଟାଣ୍ଟ୍‌ମାନଙ୍କୁ ଦିଆଯାଇଥିବା କାର୍ଯ୍ୟକ୍ଷେତ୍ରର ପରିସୀମା ଓ ଅନ୍ୟ ଅର୍ଥ ବୃତ୍ତିଜୀବିମାନଙ୍କ ସହିତ ସମତା ଉପରେ ବକ୍ତବ୍ୟ ରଖିଥିଲେ। ଭାରତୀୟ ପ୍ରତ୍ୟକ୍ଷ କର ନିୟମ ଓ ନିର୍ଦ୍ଦେଶାବଳୀରେ କଷ୍ଟ୍ ଆକାଉଣ୍ଟାଣ୍ଟ୍‌ମାନଙ୍କୁ ଆକାଉଣ୍ଟାଣ୍ଟ୍ ଭାବେ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହି ଉତ୍ସବରେ ଭାରତୀୟ କଷ୍ଟ୍ ପ୍ରତିଷ୍ଠାନର କେନ୍ଦ୍ରୀୟ ସଦସ୍ୟ ସିଏମ୍‌ଏ ନିରଞ୍ଜନ ମିଶ୍ର, ସିଏମ୍‌ଏ ରାକେଶ ଭାଲ୍ଲା, ଆଞ୍ଚଳିକ ସଦସ୍ୟ ସିଏମ୍‌ଏ ବିଭୂତି ଭୂଷଣ ନାୟକ, ସମ୍ପାଦକ ଉତ୍ତମ କୁମାର ନାୟକ, ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ସିଏମଏ ଶକ୍ତିଧର ସିଂ, ଉପାଧ୍ୟକ୍ଷ ସିଏମଏ ମୁକେଶ ଚୁବେ ବକ୍ତବ୍ୟ ରଖିଥିଲେ। ପ୍ରତିଷ୍ଠାନର କେନ୍ଦ୍ରୀୟ କର ବିଭାଗ ଦ୍ବାରା ପ୍ରକାଶିତ ୪ଟି ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ୬୦୦ରୁ ଅଧିକ ବୃତ୍ତିଧାରୀ ସିଏମ୍‌ଏ, ଦେଶର ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ମାନେ ଯୋଗଦେଇଥିଲେ।