ଭୁବନେଶ୍ୱର : ଓଡ଼ିଶା ଓ ସାରା ଦେଶ ପାଇଁ ଅନ୍ତର୍ଦେଶୀୟ ଜଳପଥର ଗୁରୁତ୍ୱ ରହିଛି। ଜଳପଥଗୁଡ଼ିକର ସର୍ବେକ୍ଷଣ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ଏଜେନ୍ସି ସହିତ ସହ ମିଶି କାର୍ଯ୍ୟ କରୁଛନ୍ତି। ଏହି କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକୁ ଜାଣିବାକୁ ପ୍ରୟାସ କରୁଛନ୍ତି। ସର୍ବେକ୍ଷଣ ଲାଗି ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ଶିଳ୍ପ ବିଭାଗର ଅତିରିକ୍ତ ସଚିବ ତଥା ଇପିକଲ ଏମ୍ଡି ଭୁପିନ୍ଦର ସିଂହ ପୁନିଆ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଇନଲ୍ୟାଣ୍ଡ୍ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆର ଉପାଧ୍ୟକ୍ଷ ଜୟନ୍ତ ସିଂହ କହିଛନ୍ତି ଯେ ଜଳପଥକୁ ପରିବହନର ଏକ ବିଶ୍ୱାସଯୋଗ୍ୟ ଓ ବାଣିଜ୍ୟିକ ଦୃଷ୍ଟିକୋଣରୁ ଯୁକ୍ତିଯୁକ୍ତ ମାଧ୍ୟମ ଭାବେ ବିକଶିତ କରିବାକୁ ଯୋଜନା ରଖିଛି । ଆମର ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ବାର୍ଷିକ ୨୦୦ ନିୟୁତ ଟନ୍ ମାଲ ପରିବହନ କରିବା।
ସେ କହିଛନ୍ତି ଯେ ଓଡ଼ିଶା ଭଳି ରାଜ୍ୟ ପାଇଁ ଜଳପଥ ବେଶ ଉପଯୋଗୀ ସାବ୍ୟସ୍ତ ହେବ କାରଣ ଏହା ସୁଲଭ, ପରିବେଶ ମିତବ୍ୟୟୀ। ଏଥିପାଇଁ ବଡ଼ ଧରଣର ଜମି ଅଧିଗ୍ରହଣ କରିବାକୁ ପଡ଼ିବନି କିମ୍ବା ସରକାରଙ୍କୁ ଦୀର୍ଘ ଦିନ ସହାୟତା ଦେବାକୁ ପଡ଼ିବନି। ଓଡ଼ିଶା ପାଇଁ ୨୦୦୮ରେ ଯେଉଁ ଜାତୀୟ ଜଳପଥ ଯୋଜନା – ୫ (ଫେଜ୍ ୧, ଫେଜ୍ ୨ ଏବଂ ଫେଜ୍ ୩) ଘୋଷଣା କରାଯାଇଥିଲା ସେଥିରେ ମହାନଦୀ/ବ୍ରାହ୍ମଣୀ ତ୍ରିକୋଣ ଭୂମି, ମତାଇ ନଦୀ ଓ ପୂର୍ବ ଉପକୂଳ କେନାଲ୍କୁ ଯୋଡ଼ିବା ଯୋଜନା ରହିଛି ଏବଂ ଯାହାର ଲମ୍ବ ହେଉଛି ୫୮୮ କି.ମି.। ଫେଜ୍ ୧ରେ ଏହା ମଙ୍ଗଳାଯୋଡ଼ିକୁ ପାରାଦୀପ ୬୭ କି.ମି., ମଙ୍ଗଳାଯୋଡ଼ିକୁ ଧାମରା ପାଖାପାଖି ୨୮ କି.ମି. ଓ ମଙ୍ଗଳାଯୋଡ଼ିକୁ ପାଣିକୋଇଲି ପାଖାପାଖି ୧୧୭ କି.ମି. ଯୋଡ଼ିବାର ବ୍ୟବସ୍ଥା ରହିଛି । ଫେଜ୍ ୨ରେ ଏହା ତାଳଚେରକୁ ପଙ୍କପାଳ ପାଖାପାଖି ୧୨୦ କି.ମି. ଏବଂ ଫେଜ୍ ୩ରେ ଧାମରାକୁ ଚାରବାଟିଆ ୩୯ କି.ମି. ଓ ଚାରବାଟିଆକୁ ଗେଉଁଖାଲି ପାଖାପାଖି ୨୧୭ କି.ମି. ସହ ଯୋଡ଼ିବ।
ଏହି ଅବସରରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ ବି ପାଣି କହିଛନ୍ତି ଯେ, ଲଜିଷ୍ଟିକ୍ ଦୃଷ୍ଟିରୁ ଜଳପଥଗୁଡ଼ିକ ସୁଲଭ ଓ ଅଧିକ ପରିବେଶ ମିତବ୍ୟୟୀ । ଭାରତରେ ଜଳପଥର ପରିବହନକୁ ଅବଦାନ ୬% ରହିଛି ଯାହା ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ କମ୍ । ବିକଶିତ ଦେଶରେ ଏହି ହାର ୧୫% ଭଳି ଉଚ୍ଚ ସ୍ତରରେ ରହିଛି । ଏହି କ୍ଷେତ୍ର ଆଗକୁ ବଢ଼ିବାକୁ ହେଲେ ସରକାରୀ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଅବସରରେ ଆଇସିସି ଓଡ଼ିଶା ଶିଳ୍ପ ଲଜିଷ୍ଟିକ୍ କମିଟିର ସଦସ୍ୟ ସନ୍ତୋଷ କୁମାର ମହାପାତ୍ର, ଅଜୟ କୁମାର ବେହେରା, ପଙ୍କଜ ସତିଜା, ପରିବହନ ସଚିବ ରାଜେଶ ରାୟ ଚୌଧୁରୀ, ରାଇଟସ୍ ଲିମିଟେଡ୍ର ଜିଏମ୍ ମନୋଜ କୁମାର ମିଶ୍ର ଓ ସହକାରୀ ମ୍ୟାନେଜର, ଆନି ଶ୍ରୀବାସ୍ତବ ଉପସ୍ଥିତ ଥିଲେ।