ହାଇଦ୍ରାବାଦ: ଆଇସିଏଫ୍ଏଆଇ ଇନ୍କ୍ୟୁବେଟର୍ ଓ ଟି ହବ୍ ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଆଇସିଏଫ୍ଏଆଇ ଫାଉଣ୍ଡେସନ୍ ଫର୍ ହାୟର୍ ଏଜୁକେସନ୍ର କୁଳପତି ଡ. ଏଲ୍ ଏସ୍ ଗଣେଶ ଓ ଟି-ହବ୍ର ସିଆଇଓ ସୁଜିତ ଜାଗିରଦାର ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ଡ. ଗଣେଶ କହିଛନ୍ତି ଯେ ଛାତ୍ରଛାତ୍ରୀ ଓ ଗବେଷଣାମାନେ ଯେଭଳି ନିଜ ଚିନ୍ତାଧାରାକୁ ଏକ ସ୍ଥାୟୀ ବ୍ୟବସାୟରେ ପରିଣତ କରିପାରିବେ, ସେଥିପାଇଁ ପରିବେଶ ସୃଷ୍ଟି କରିବାରେ ଆଇସିଏଫ୍ଏଆଇର ବିଶ୍ବାସ ରହିଛି।
ଏହି ସହଯୋଗିତା ଆଇସିଏଫ୍ଏଆଇର ଦେଶବ୍ୟାପୀ ଉପସ୍ଥିତି ଏବଂ ଉଦ୍ୟମିତା କ୍ଷେତ୍ରରେ ଟି-ହବ୍ର ଅଭିଜ୍ଞତାକୁ ବ୍ୟବହାର କରି ନବସୃଜନ, ଷ୍ଟାର୍ଟଅପ୍ ଓ ଉଦ୍ୟମିତାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଟି-ହବ୍ର ସିଆଇଓ ଶ୍ରୀ ଜାଗିରଦାର କହିଛନ୍ତି ଯେ ଷ୍ଟାର୍ଟଅପ୍କୁ ସମୃଦ୍ଧ କରିବାରେ ଟି-ହବ୍ ଅଗ୍ରଣୀ ରହିଛି ଏବଂ ଆଇସିଏଫ୍ଏଆଇ ସହିତ ଏମ୍ଓୟୁ ନବସୃଜନକୁ ଆହୁରି ସୁଦୃଢ଼ କରିବ। ଶିକ୍ଷାଗତ ଗବେଷଣା ଓ ଷ୍ଟାର୍ଟଅପ୍ ଇନ୍କ୍ୟୁବସେନ୍ ମଧ୍ୟରେ ରହିଥିବା ଅନ୍ତର ଦୂର କରି ଆମେ ଭବିଷ୍ୟତ ଲାଗି ପ୍ରସ୍ତୁତ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।