ନୂଆଦିଲ୍ଲୀ: ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଅଗଷ୍ଟ ପହିଲାରୁ ଏହାର ନୂଆ ସଞ୍ଚୟ ଖାତା ଗ୍ରାହକଙ୍କ ପାଇଁ ମାସିକ ସର୍ବନିମ୍ନ ହାରାହାରି ଜମାରାଶିକୁ ବୃଦ୍ଧି କରିଛି। ମେଟ୍ରୋ ଏବଂ ସହରାଞ୍ଚଳ ଶାଖାରେ ଖୋଲାଯାଇଥିବା ସଞ୍ଚୟ ଖାତାଗୁଡ଼ିକରେ ମାସିକ ସର୍ବନିମ୍ନ ଜମାରାଶିକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୦ ହଜାର ଟଙ୍କା ରହିଥିଲା।
ଅର୍ଦ୍ଧସହରାଞ୍ଚଳ ଶାଖାରେ ଉକ୍ତ ଆବଶ୍ୟକତା ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏହାକୁ ୨୫ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି। ସେହିଭଳି ଗ୍ରାମାଞ୍ଚଳ ଶାଖାଗୁଡ଼ିକରେ ଏହି ଆବଶ୍ୟକତା ୨୫୦୦ ଟଙ୍କା ଥିବାବେଳେ ଏହାକୁ ୧୦ ହଜାର ଟଙ୍କାକୁ ବଢ଼ାଯାଇଛି। ଅଗଷ୍ଟ ୧ କିମ୍ବା ତା ପରଠାରୁ ଖୋଲାଯାଇଥିବା ଆକାଉଣ୍ଟ ପାଇଁ ଏହି ନୂଆ ନିୟମ ଲାଗୁହେବ। ଆଇସିଆଇସିଆଇ ବ୍ୟାଙ୍କର ଏଭଳି ନିଷ୍ପତ୍ତି ଫଳରେ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବାକୁ ଯାଉଥିବା ଗ୍ରାହକଙ୍କ ପସନ୍ଦରେ ପରିବର୍ତ୍ତନ ଆସିପାରେ।