ଦେଶର ପ୍ରଥମ ଅନଲାଇନ୍‌ ଓଭରଡ୍ରାଫ୍ଟ ବ୍ୟବସ୍ଥା ଆରମ୍ଭ କଲା ଆଇସିଆଇସିଆଇ ବ୍ୟାଙ୍କ

ମୁମ୍ବାଇ : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍‌୍ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ତତ୍କାଳ ଓଭରଡ୍ରାଫ୍ଟ ସୁବିଧା ଇନଷ୍ଟାଓଡି ଉନ୍ମୋଚନ କରାଯାଇଛି । ଏହା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ଏବଂ କାଗଜବିହୀନ ଭାବେ ଉପଲବ୍ଧ ହେବ। ଏହା ଜରିଆରେ କିଛି ପ୍ରାକ୍‌-ଯୋଗ୍ୟତା ଥିବା ଚଳନ୍ତି ଜମା ଖାତାର ଗ୍ରାହକମାନେ ଶାଖା ପରିଭ୍ରମଣ ନ କରି କିମ୍ବା କୌଣସି କାଗଜପତ୍ର ନଦେଇ ତତ୍କାଳ ଏହି ସୁବିଧା ହାସଲ କରିପାରିବେ । ଇନଷ୍ଟାଓଡି ଜରିଆରେ ଗ୍ରାହକମାନେ ଯେକୌଣସି ସମୟରେ ଯେକୌଣସି ଠାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ହାସଲ କରିପାରିବେ। ବ୍ୟାଙ୍କର ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ବ୍ୟାଙ୍କିଙ୍ଗ ଆପ୍‌କୁ ବ୍ୟବହାର କରି ଏହି ସୁବିଧା ହାସଲ କରାଯାଇପାରିବ। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଖୁବଶୀଘ୍ର ଅନ୍ୟ ବ୍ୟାଙ୍କର ଏମ୍‌ଏସ୍‌ଏମଇ ଗ୍ରାହକଙ୍କୁ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରାଯିବ । ଏହି ସୁବିଧା ହାସଲ କରିବା ପାଇଁ ଗ୍ରାହକମାନଙ୍କୁ କର୍ପୋରେଟ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ (ସିଆଇବି) ଖାତା କିମ୍ବା ଆଇବିଜ୍‌ ମୋବାଇଲ୍‌ ଆପ୍ଲିକେସନ୍‌ ଜରିଆରେ ଆବେଦନ କରିବାକୁ ପଡ଼ିବ। ସେଠାରେ ସେମାନେ ଲିମିଟ୍‌ ଚୟନ କରିପାରିବେ। ଏହି ଓଭରଡ୍ରାଫ୍ଟ ସୁବିଧା ବାର୍ଷିକ ଭିତ୍ତିରେ ନବୀକରଣ ହେବ। ଏମ୍‌୍‌ଏସ୍‌ଏମ୍‌ଇ ଗ୍ରାହକମାନେ ଏହି ସୁବିଧାକୁ ତୁରନ୍ତ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥା ପାଇଁ ଅତିରିକ୍ତ ସ୍ୱୀକୃତିର ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର