ରିଜର୍ଭ ବ୍ୟାଙ୍କ ରେପୋହାର ବୃଦ୍ଧିର ପ୍ରଭାବ : ଋଣ ସୁଧହାର ବୃଦ୍ଧି କଲେ ଆଇସିଆଇସିଆଇ, ବ୍ୟାଙ୍କ ଅଫ ବରୋଦା

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାରଦିନ ରେପୋ ହାର ୪୦ ବେସିସ ପଏଣ୍ଟ ବୃଦ୍ଧି କରିବାର ଦିନକ ପରେ ବ୍ୟାଙ୍କମାନେ ଗୃହଋଣ ହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ଆଜି ଆଇସିଆଇସିଆଇ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଗୃହଋଣ ସୁଧହାର ବୃଦ୍ଧି କରାଯାଇଛି ।

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହାର ଏକ୍ସଟରନାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ ୮.୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ମେ ୪ରୁ ଲାଗୁ ହୋଇଯାଇଛି । ବ୍ୟାଙ୍କ ଅଫ ବରୋଦା ନିଜର ରେପୋ ଲିଙ୍କଡ୍ ଲେଣ୍ଡିଂ ରେଟକୁ ୬.୯୦ ପ୍ରତିଶତକୁ ବୃଦ୍ଧି କରିଛି । ଏହା ମେ ୫ରୁ ଲାଗୁ ହୋଇଯାଇଛି । ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କମାନେ ବି ନିଜର ଋଣ ସୁଧହାର ବୃଦ୍ଧି କରିବାର ସମ୍ଭାବନା ରହିଛି ।

ବୁଧବାରଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ବୃଦ୍ଧି କରି ୪.୪୦ ପ୍ରତିଶତ କରାଯାଇଥିଲା । ଏହା ସହିତ କ୍ୟାସ ରିଜର୍ଭ ରେସିଓ ବା ନଗଦ ଜମା ଅନୁପାତ ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଥିଲା । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣନ୍ତି ତାହାକୁ ରେପୋ ହାର କୁହାଯାଏ ।

ସମ୍ବନ୍ଧିତ ଖବର