ଆଇଡିବିଆଇ ବ୍ୟାଙ୍କରେ ୭୨୨ କୋଟିର ଠକେଇ

ଜାଲ କାଗଜପତ୍ର ଦେଇ ଋଣ ନେଇଥିଲେ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ବ୍ୟାଙ୍କରେ ୭୨୨ କୋଟି ଟଙ୍କାର ଋଣ ଠକେଇ ହୋଇଛି। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ବ୍ୟାଙ୍କରେ ଥିବା ବିଭିନ୍ନ ଶାଖା ଜରିଆରେ ଏହି ଠକେଇ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ବମ୍ବେ ଷ୍ଟକ ବଜାରରେ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୯-୨୦୧୩ ମଧ୍ୟରେ ଜାଲ କାଗଜପତ୍ର ଉପସ୍ଥାପନ କରି ମତ୍ସ୍ୟ ଚାଷ ପାଇଁ ନିଆଯାଇଥିବା ଅଧିକାଂଶ ଋଣ ପରିଶୋଧ ହୋଇନାହିଁ। ଋଣ ପାଇଁ ବନ୍ଧକ ରଖାଯାଇଥିବା ସମ୍ପତ୍ତିର ମୂଲ୍ୟ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଥିଲା। କେତେକ ଋଣ ମାମଲାରେ ପୋଖରୀ ନଥାଇ ମଧ୍ୟ ଋଣ ଦିଆଯାଇଥିଲା। ବ୍ୟାଙ୍କର ଦୁଇ ଅଧିକାରୀ ଏହି ଠକେଇରେ ସମ୍ପୃକ୍ତ ଥିଲେ। ସେମାନେ ଋଣ ପ୍ରକ୍ରିୟାକରଣ ଓ ବଣ୍ଟନରେ ବ୍ୟାପକ ଜାଲିଆତି କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅବସର ଗ୍ରହଣ କରିସାରିଥିବା ବେଳେ ଅନ୍ୟ ଅଧିକାରୀ ଜଣଙ୍କୁ ବ୍ୟାଙ୍କ ନିଲମ୍ବିତ କରିଛି। ବ୍ୟାଙ୍କର ବଶୀରବାଗ୍‌ ଓ ଗୁଣ୍ଟୁର ଶାଖାରେ ହୋଇଥିବା ଠକେଇକୁ ନେଇ ଯେଉଁ ପାଞ୍ଚଟି ଅଭିଯୋଗ କରାଯାଇଥିଲା, ସେଥି ମଧ୍ୟରୁ ଦୁଇଟି ମାମଲାରେ ସିବିଆଇ ପକ୍ଷରୁ ମାମଲା ଦାୟର କରାଯାଇଛି।

ସମ୍ବନ୍ଧିତ ଖବର