ଆଇଡିବିଆଇ ବ୍ୟାଙ୍କ ୪୦ ନୂଆ ଶାଖା ଖୋଲିବ

ଭୁବନେଶ୍ବର: ଆଇଡିବିଆଇ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ୪୦ଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି। ‘ସମ୍ବାଦ’ ସହ ସ୍ବତନ୍ତ୍ର ଆଲୋଚନା କରି ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ସୁରେଶ ଖଟନହାର ଏହି ସୂଚନା ଦେଇଛନ୍ତି । ସେ କହିଲେ, ଗ୍ରାହକମାନଙ୍କୁ ଆମେ ପ୍ରଦାନ କରୁଥିବା ସେବାର ୯୪%  ଡିଜିଟାଲ୍ ମାଧ୍ୟମରେ ଦେଉଛୁ ।  ସେଥିପାଇଁ ଡିଜିଟାଲ୍‌ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଉପରେ ଆମେ ଗୁରୁତ୍ବ ଦେଉଛୁ । ଏହା ସହିତ ଶାଖା ସଂଖ୍ୟା ମଧ୍ୟ ବଢ଼ାଇବୁ । ବର୍ତ୍ତମାନ ଦେଶରେ ଆମର ୧୮୮୬ ଶାଖା ଓ ୩୪୦୦ରୁ ଅଧିକ ଏଟିଏମ୍ ରହିଛି । ବ୍ୟାଙ୍କର ରିଟେଲ ଋଣରେ ଗୃହ, ଅଟୋ ଓ ବ୍ୟକ୍ତିଗତ ଋଣ ଭଳି  କ୍ଷେତ୍ରର ଅବଦାନ ୬୫% ଏବଂ କୃଷି ଓ ଏମ୍ଏସ୍‌ଏମ୍ଇ କ୍ଷେତ୍ର ଅବଦାନ ୩୫% ରହିଛି । ବ୍ୟାଙ୍କର ରିଟେଲ ଲୋନ ବୁକର ଆକାର ହେଉଛି ଲକ୍ଷେ କୋଟି ଟଙ୍କା  ।

ଚଳିତ ଆର୍ଥିକ ବର୍ଷରେ ଋଣ ପ୍ରଦାନରେ ୧୦-୧୨% ବୃଦ୍ଧି ଆଣିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଖଟନହାର କହିଛନ୍ତି । ସାରା ଦେଶରେ ଆଇଡିବିଆଇ ବ୍ୟାଙ୍କର ମୋଟ କାରବାର ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବା ବେଳେ ଓଡ଼ିଶା କାରବାର ୯,୦୦୦ କୋଟି ଟଙ୍କା ରହିଛି। ଓଡ଼ିଶାରେ ବ୍ୟାଙ୍କ ଏହାର ଶାଖା ସଂଖ୍ୟା ଓ ଡିଜିଟାଲ ଉପସ୍ଥିତି ବଢ଼ାଇବା ଉପରେ ଗୁରୁତ୍ବ ଦେଉଛି ।

ସମ୍ବନ୍ଧିତ ଖବର