ଷ୍ଟେଟ ବ୍ୟାଙ୍କ ପରେ ଆଇଡିବିଆଇ ବ୍ୟାଙ୍କ ବି ଋଣସୁଧହାର କମାଇଲା

ଭୁବନେଶ୍ୱର : ଗତ ବୁଧବାରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧହାର ହ୍ରାସ କରାଯିବା ପରେ ବିଭିନ୍ନ ବ୍ୟାଙ୍କ ସୁଧହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ପରେ ଏବେ ଆଇଡିବିଆଇ ବ୍ୟାଙ୍କ ମଧ୍ୟ ଋଣ ସୁଧହାର କମାଇଛି । ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ମାର୍ଜିନାଲ୍ କଷ୍ଟ୍ ଅଫ୍ ଫଣ୍ଡସ୍ ବେସଡ୍ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍)ରେ ୧୫ ବେସିସ ପଏଣ୍ଟ ହ୍ରାସ ଘୋଷଣା କରାଯାଇଛି । ଏହାର ପ୍ରଭାବରେ ଯେଉଁ ସବୁ ଋଣଗୁଡ଼ିକ ଏମସିଏଲଆର ସହିତ ଜଡ଼ିତ ଥିବ ତାହାର ସୁଧ ସେହି ଅନୁସାରେ ବଦଳିବ । ଓଭରନାଇଟ୍ ଏମସିଏଲ୍ଆର୍ ୭.୮୫%, ମାସିକିଆ ୮.୧୦%, ତିନି ମାସିଆ ୮.୩୫%, ଛଅ ମାସିଆ ୮.୫୦%, ଏକ ବର୍ଷିଆ ୮.୮୫%, ଦୁଇ ବର୍ଷିଆ ୮.୯୫% ଏବଂ ତିନି ବର୍ଷିଆ ଏମ୍ସିଏଲ୍ଆର୍ ୯.୧୦%କୁ ହ୍ରାସ ପାଇଛି । ଏହି ସଂଶୋଧିତ ହାର ଅଗଷ୍ଟ ୧୨ ତାରିଖରୁ ଲାଗୁ ହେବ । ଗତ ବୁଧବାର ଦିନ ଏସବିଆଇ ଏମସିଏଲଆରରେ ୧୫ ବେସିସ ପଏଣ୍ଟ ହ୍ରାସ କରିଥିଲା ।

ସୂଚନାଯୋଗ୍ୟ ଯେ ଏମସିଏଲଆର ହେଉଛି ଗୋଟିଏ ବ୍ୟାଙ୍କର ସର୍ବନିମ୍ନ ଋଣସୁଧହାର । ଏହା ତଳକୁ ଉକ୍ତ ବ୍ୟାଙ୍କ ଋଣ ପ୍ରଦାନ କରିପାରିବ ନାହିଁ । ପୂର୍ବରୁ ପ୍ରଚଳିତ ବେସ ରେଟ ବଦଳରେ ଗତ ୨୦୧୬ ଠାରୁ ଏହାକୁ ଲାଗୁ କରାଯାଇଛି ।

ସମ୍ବନ୍ଧିତ ଖବର