ଭୁବନେଶ୍ବର: ରାଜ୍ୟରେ ସ୍ଥାପନ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଲାଗି ୨୮ଟି ସଂସ୍ଥାକୁ ଇଡ୍କୋ ଜରିଆରେ ରାଜ୍ୟ ସରକାର ଜମି ଆବଣ୍ଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୫୮୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ୩୨୪୫ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ ଜମି ଆବଣ୍ଟନ କମିଟି ବୈଠକରୁ ଏହା ଜଣାପଡ଼ିଛି। ନିର୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି।
ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ଦେଇ ଇଡ୍କୋର ସିଏମ୍ଡି ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦର ପ୍ରକ୍ରିୟାକରଣ, ମୋଟର ଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି, ଭଣ୍ଡାର ବ୍ୟବସ୍ଥା, ବିହନ ପ୍ରକ୍ରିୟାକରଣ ଏବଂ ସରଞ୍ଜାମ ନିର୍ମାଣ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ହେବ। ଜମି ଆବଣ୍ଟନ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ୧୨ଟି ଓ ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ୧୫ଟି ନିବେଶ ପ୍ରସ୍ତାବ ଆସିଥିଲା। ବି-ୱାନ୍ ବିଜନେସ୍ ହାଉସ୍ର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଫାଲ୍କନ୍ର ସାମୁଦ୍ରିକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ, ଇନ୍ଟେକ୍ ଇଣ୍ଡିଆର ଚିଙ୍ଗୁଡ଼ି ଖାଦ୍ୟ ଉତ୍ପାଦ ଉଦ୍ୟୋଗ ଲାଗି ଡେରାସ ସି-ଫୁଡ୍ ପାର୍କରେ ଜମି ଦିଆଯିବ।
ୟୁବିଏନ୍ ସଫଟ୍ଓୟାର ୟୁନିଟ୍ ଓ ରାଜ୍ୟ ଡାଟା ସେଣ୍ଟର୍ ପାଇଁ ଇନ୍ଫୋଭାଲି-୨ ଶିଳ୍ପାଞ୍ଚଳ, ବିଶ୍ବ କୌଶଳ କେନ୍ଦ୍ର ପାଇଁ ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ଅଟୋମୋବାଇଲ୍ କ୍ଲଷ୍ଟର୍ ପାଇଁ ଖୋର୍ଦ୍ଧାର ବାଲିଅନ୍ତାରେ ଏବଂ ପାହାଳ ରସଗୋଲା କମନ ଫାସିଲିଟି ସେଣ୍ଟର୍ ପାଇଁ ଖୋର୍ଦ୍ଧାର ଅନନ୍ତପୁର ଠାରେ ଜମି ଦିଆଯିବ। ଜିଲ୍ଲା ସିଙ୍ଗଲ୍ ୱିଣ୍ଡୋ ଜରିଆରେ ଆସିଥିବା ୧୬ଟି ଏମ୍ଏସ୍ଏମ୍ଇ ପ୍ରକଳ୍ପ ପାଇଁ ଭୁବନେଶ୍ବର, ଛତାବର, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଯାଆଁଳା ଏବଂ ଚନ୍ଦକା ଆଦି ଶିଳ୍ପାଞ୍ଚଳରେ ଜମି ଦେବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।
ଡିଜିଟାଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଏହି ବୈଠକରେ ଜଙ୍ଗଲ ଓ ପରିବେଶ, ଶିଳ୍ପ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଏମ୍ଏସ୍ଏମ୍ଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ପ୍ରଯୁକ୍ତି ବିଭାଗର ମୁଖ୍ୟ ଶାସନ ସଚବି ଓ ପ୍ରମୁଖ ସଚିବମାନେ, ବିଏମ୍ସି କମିସନର ଓ ଖୋର୍ଦ୍ଧା ଜିଲ୍ଲାପାଳ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/idco.jpg)