ନୂଆଦିଲ୍ଲୀ: ଏବେ ଟେଲିକମ ଉଦ୍ୟୋଗରେ ଏକ ଶସ୍ତା ଡାଟା ତାରିଫର ଯୁଗ ପୁଣି ଆସିଛି ବୋଲି କୁହାଯାଇପାରେ । ବିଶେଷକରି ପ୍ରାୟ ସବୁ କମ୍ପାନି ଏବେ କ୍ୟାସ୍‌ବ୍ୟାକ୍‌ ଅଫରମାନ ଘୋଷଣା କରିଛନ୍ତି । କିଛିଦିନ ତଳେ ରିଲାଏନ୍ସ ଜିଓ ଏକ ଆକର୍ଷଣୀୟ କ୍ୟାସବ୍ୟାକ୍‌ ଅଫର ଘୋଷଣା କରିଥିଲା । ଏହାର ଜବାବରେ ଆଇଡିଆ ପକ୍ଷରୁ ଏକ ମନଲୋଭା କ୍ୟାସ୍‌ବ୍ୟାକ୍‌ ଅଫର ଘୋଷଣା କରାଯାଇଛି । ଏହାର ନାମ ରଖାଯାଇଛି ମ୍ୟାଜିକ୍‌ କ୍ୟାସ୍‌ବ୍ୟାକ୍‌ । ଗ୍ରାହକମାନେ ଆଇଡିଆ ମୋବାଇଲ ଆପ୍‌ ମଧ୍ୟମରେ ସର୍ବନିମ୍ନ ୩୯୮ ଟଙ୍କାର ରିଚାର୍ଜ କଲେ ୩,୩୦୦ ଟଙ୍କାର କ୍ୟାସବ୍ୟାକ୍‌ ପାଇପାରିବେ ।

Advertisment

ସ୍କିମଟି ଏହିପରି ..ଗ୍ରାହକମାନେ ୩୯୮ ଟଙ୍କାର ରିଚାର୍ଜ କଲେ ୪୦୦ ଟଙ୍କା ପର୍ଯ୍ୟନ୍ତ ଭାଉଚର ପାଇବେ । ଏହା ସହିତ ଓ୍ଵାଲେଟ୍‌ରେ ୨୦୦ ଟଙ୍କାର କ୍ୟାସବ୍ୟାକ୍‌ ପାଇବେ । ଏହା ସହିତ ୨୭୦୦ ଟଙ୍କାର ସପିଂ ଭାଉଚର ମଧ୍ୟ ପାଇପାରିବେ । ତେବେ ଏହି କ୍ୟାସବ୍ୟାକକୁ ୫୦ ଟଙ୍କା ଲେଖାଏଁ କିସ୍ତିରେ ପରବର୍ତ୍ତି ରିଚାର୍ଜ ଗୁଡିକରେ ମିଳିବ । ଗ୍ରାହକମାନେ ୩୯୮ ଟଙ୍କାର ରିଚାର୍ଜ କରି ୭୦ ଦିନ ପର୍ଯ୍ୟନ୍ତ ଦୈନିକ ୧ ଜିବି ଡାଟା, ଅନଲିମିଟେଡ୍‌ ଲୋକାଲ ଓ ନାସନାଲ କଲିଂ କରିପାରିବେ । ଫେବ୍ରୁଆରୀ ୧୦ ପର୍ଯ୍ୟନ୍ତ ଏହି ଅପର ବୈଧ ରହିବ ।

କିଛିଦିନ ତଳେ ରିଲାଏନ୍ସ ଜିଓ ତରଫରୁ ୧୦୦ ପ୍ରତିଶତରୁ ଅଧିକ କ୍ୟାସବ୍ୟାକ୍‌ ଅଫର ଘୋଷଣା କରାଯାଇଥିଲା । ଏହି ସ୍କିମ ଅନୁସାରେ ଗ୍ରାହକମାନେ ୧୬ ଜାନୁୟାରୀରୁ ୩୧ ଜାନୁୟାରୀ ମଧ୍ୟରେ ୩୯୮ ଟଙ୍କାରୁ ଅଧିକ ମୂଲ୍ୟର  ରିଚାର୍ଜ କରି ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ । ଏହି ୭୦୦ ଟଙ୍କା ଦୁଇଟି ରୂପରେ ପ୍ରଦାନ କରାଯିବ । ୪୦୦ ଟଙ୍କାର ରିଲାଏନ୍ସ ଜିଓ କ୍ୟାସବ୍ୟାକ୍‌ ଭାଉଚର ପ୍ରଦାନ କରାଯିବ ଓ ଆଉ ୩୦୦ ଟଙ୍କା କେତେକ ଡିଜିଟାଲ ଓ୍ଵାଲେଟ୍‌ରେ ପ୍ରଦାନ କରାଯିବ । ଏହି ୪୦୦ ଟଙ୍କାର ରିଲାଏନ୍ସ ଜିଓ କ୍ୟାସବ୍ୟାକ୍‌କୁ ୫୦ ଟଙ୍କା ଲେଖାଏଁ ୮ଟି ଭାଉଚରରେ ବିଭକ୍ତ କରି ପ୍ରଦାନ କରାଯିବ ।