ବିକ୍ରି ପାଇଁ ୧୦୦ ସମ୍ପତ୍ତି ଚିହ୍ନଟ: ଚାରି ବର୍ଷିଆ ରୋଡ୍‌ମ୍ୟାପ୍ ତିଆରି ହେବ, ମନ୍ତ୍ରାଳୟଗୁଡ଼ିକୁ ତାଲିକା ମାଗିଲା ନିତି ଆୟୋଗ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ଓ ସେମାନଙ୍କ ପାଖରେ ଥିବା ଜମି ଭଳି ବିଭିନ୍ନ ପ୍ରକାର ସମ୍ପତ୍ତିକୁ ବ୍ୟବହାର କରି କିଭଳି ଉପାର୍ଜନ କରିହେବ ସେଥିପ୍ରତି କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। କେଉଁ ସବୁ ସମ୍ପତ୍ତି ବିକ୍ରି ହେବ ତାହାର ତାଲିକା ପ୍ରସ୍ତୁତ ହେଉଛି। ଦେଶରେ ଏଭଳି ୧୦୦ ପାଖାପାଖି ସମ୍ପତ୍ତି ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। କେଉଁ ସଂସ୍ଥାର ଘରୋଇକରଣ ହେବ? କାହା ପରେ କେଉଁ ସଂସ୍ଥାର ଘରୋଇକରଣ ହେବ? କେଉଁ ସମ୍ପତ୍ତିଗୁଡ଼ିକୁ ବିକ୍ରି କିମ୍ବା ଅନ୍ୟାନ୍ୟ ଉପାୟରେ ଉପାର୍ଜନକ୍ଷମ କରାଯାଇପାରିବ ତାହାର ତାଲିକା ଦେବା ଲାଗି ବିଭିନ୍ନ ବିଭାଗକୁ ନିତି ଆୟୋଗ ପକ୍ଷରୁ କୁହାଯାଇଛି। ଆସନ୍ତା ଚାରି ବର୍ଷ ପର୍ଯ୍ୟନ୍ତ ଘରୋଇକରଣ ଓ ସମ୍ପତ୍ତି ବିକ୍ରି ଯେଭଳି ନିରନ୍ତର ଭାବେ ଜାରି ରହିବ ତାହା ନିଶ୍ଚିତ କରିବା ଲାଗି ଆଗୁଆ ତାଲିକା ପ୍ରସ୍ତୁତ କରାଯାଉଛି। ଫଳରେ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ବିକ୍ରି କରାଯାଇପାରିବ। ବିକ୍ରି ଲାଗି ନିତି ଆୟୋଗ ଯେଉଁ ୧୦୦ ସମ୍ପତ୍ତି ଚିହ୍ନଟ କରିଛି ତାହାର ମୂଲ୍ୟ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ନିତି ଆୟୋଗ ପକ୍ଷରୁ ଏନେଇ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ସହ ଆଲୋଚନା ଓ ବିଚାରବିମର୍ଶ ଜାରି ରହିଛି। ଚିହ୍ନଟ ହୋଇଥିବା ସମ୍ପତ୍ତିଗୁଡ଼ିକ ଭିତରେ ରହିଛି ‌ଟୋଲ୍ ସଡ଼କ, ବନ୍ଦର, କ୍ରୁଜ୍ ଟର୍ମିନାଲ୍, ଟେଲିକମ୍ ଭିତ୍ତିଭୂମି, ତୈଳ ଓ ଗ୍ୟାସ୍‌ ପାଇପ୍‌ଲାଇନ୍, ରେଳ ଷ୍ଟେସନ, କ୍ରୀଡ଼ା ଷ୍ଟାଡିୟମ୍, ଗୋଦାମ ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସ।

ଏସବୁ ସମ୍ପତ୍ତିକୁ ବିକ୍ରି କରାଯିବା କିମ୍ବା ଅନ୍ୟାନ୍ୟ ଉପାୟରେ ସେଥିରୁ ଉପାର୍ଜନ କରିବାକୁ ଉଦ୍ୟମ କରାଯିବ। କଂପାନିଗୁଡ଼ିକ ପାଖରେ ଥିବା ଜମି ବିକ୍ରି କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଏକ ଜମି ପରିଚାଳନା ଏଜେନ୍ସି ଗଠନ କରାଯିବ। କଂପାନିଗୁଡ଼ିକ ବିକ୍ରି କରିବାକୁ ଚାହୁଥିବା‌ ଜମି ସେହି ଏଜେନ୍ସିକୁ ଦେବେ। ଏଜେନ୍ସି ସେହି ଜମିଗୁଡ଼ିକୁ ବିକ୍ରି କିମ୍ବା ରିଅଲ ଇଷ୍ଟେଟ୍‌ ପ୍ରକଳ୍ପ ଆଦି ସ୍ଥାପନ କରି ସେଥିରୁ ରୋଜଗାର କରିବାକୁ ଉଦ୍ୟମ କରିବ। ୨୦୨୦-୨୧ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ୨.୧ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ ସରକାର ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର କରୋନା ମହାମାରୀ ପ୍ରଭାବ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଆର୍ଥିକ ବର୍ଷ ଶେଷ ‌ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ସରକାର ମାତ୍ର ୨୧,୫୦୦ କୋଟି ଟଙ୍କା ଯୋଗାଡ଼ କରିପାରିଛନ୍ତି। ସେଥିପାଇଁ ୨୦୨୧-୨୨ ‌ଆର୍ଥିକ ବର୍ଷ ଲାଗି ପୁଞ୍ଜିପ୍ରତ୍ୟାହାରରୁ ୧.୭୫ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ବଜେଟ୍‌ରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର