ନୂଆଦିଲ୍ଲୀ: କିଶୋରୀମାନଙ୍କ ଲାଗି ଗୁଣାତ୍ମକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ବୃଦ୍ଧିର ଆବଶ୍ୟକତା ଉପରେ କେନ୍ଦ୍ର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ବିପିନ କୁମାର ଗୁରୁତ୍ବାରୋପ କରିଛନ୍ତି। ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ପକ୍ଷରୁ ଫିକି ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଇଡିଏଟ୍‌-୨୦୨୩ରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ କିଶୋରୀମାନଙ୍କ ଦକ୍ଷତା ବଢ଼ାଇ ସେମାନଙ୍କୁ ଅର୍ଥନୀତିରେ ସାମିଲ କରିବାକୁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ବ ଦିଆଯାଇଛି।

Advertisment

ଏଥିପାଇଁ ବିଭିନ୍ନ ଭୌଗୋଳିକ ଅଞ୍ଚଳକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଚିହ୍ନଟ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରାଜ୍ୟମାନଙ୍କ ସହ ଆଲୋଚନା କରୁଥିବା ସେ କହିଛନ୍ତି। ୨୦୨୫-୨୬ ସୁଦ୍ଧା ୫୦ ପ୍ରତିଶତ କିଶୋରୀ ଯେକୌଣସି ବିଷୟରେ ଦକ୍ଷ ଓ ଅଭିଜ୍ଞ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଆଇପିଏଫ୍‌ର ଟ୍ରଷ୍ଟି ଶୈଫଳିକା ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ରକ୍ରମରେ ଅନ୍ୟତମ ଟ୍ରଷ୍ଟି ତଥା ଫିକିର ସଭାପତି ଶୁଭ୍ରକାନ୍ତ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ୟୁନିସେଫ୍‌ର ଭାରତ ପ୍ରତିନିଧି ସିନ୍ଥିଆ ମ୍ୟାକ୍‌କେଫ୍ରି, କନଭରଜେନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ସିଇଓ ଆଶିଷ ଧାୱନ, ୟୁଥ୍‌ ଆଇକନ୍ ମାନ୍ୟା ମିଶ୍ର ପଓ ଅନ୍ୟମାନେ ଉପସ୍ଥିତ ଥିଲେ।