ଫାସ୍‌ଟ୍ୟାଗ୍‌ ନଥିଲେ ଦୁଇ ଗୁଣା ଶୁଳ୍କ; ଚାରିଚକିଆ ଯାତ୍ରୀବାହୀ, ମାଲ ପରିବହନକାରୀ ଗାଡ଼ି ପାଇଁ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦୀର୍ଘଦିନର କୋହଳ ପରେ ଦେଶରେ ଆସନ୍ତାକାଲି ଠାରୁ ଜାତୀୟ ରାଜପଥଗୁଡ଼ିକରେ ଯାତ୍ରା କରୁଥିବା ଗାଡ଼ି ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆଜି ଏ‌ ନେଇ ସୂଚନା ଦିଆଯାଇଛି। ଫାସ୍‌ଟ୍ୟାଗ ଲାଗି ନଥିଲେ ଫେବ୍ରୁଆରି ୧୫-୧୬ ମଧ୍ୟରାତ୍ରୀରୁ ଟୋଲପ୍ଲାଜାଗୁଡ଼ିକ ଦେଇ ଅତିକ୍ରମ କରୁଥିବା ଗାଡ଼ିଗୁଡ଼ିକୁ ଦୁଇଗୁଣ ଶୁଳ୍କ ଦେବାକୁ ପଡ଼ିବ ବୋଲି ମନ୍ତ୍ରାଳୟ କହିଛି।

ଅର୍ଥାତ୍‌ ଫେବ୍ରୁଆରି ୧୫ ମଧ୍ୟରାତ୍ରୀରୁ ଜାତୀୟ ରାଜପଥରେ ଥିବା ସବୁ ଲେନ୍‌କୁ ଫାସଟ୍ୟାଗ୍‌ ଲେନ୍‌ରେ ପରିଣତ କରି ଦିଆଯିବ। ପୂର୍ବରୁ ଏହି ବ୍ୟବସ୍ଥା ଚଳିତବର୍ଷ ଜାନୁଆରି ପହିଲାରୁ ବାଧ୍ୟତାମୂଳକ କରାଯିବାର ଯୋଜନା ରହିଥିଲା। କିନ୍ତୁ ପରେ ଏହାକୁ ୧୫ ଫେବ୍ରୁଆରି ପର୍ଯ୍ୟନ୍ତ କୋହଳ କରାଯାଇଥିଲା। କୌଣସି ଗାଡ଼ିରେ ଫାସ୍‌ଟ୍ୟାଗ୍ ଯଦି ଲାଗି ନଥାଏ କିମ୍ବା ତାହା କାର୍ଯ୍ୟ କରୁ ନଥାଏ ତା’ହେଲେ ସେହିଗାଡ଼ି ଯଦି ଟୋଲ୍‌ପ୍ଲାଜାର ଫାସଟ୍ୟାଗ୍‌ ଲେନ୍‌ରେ ପ୍ରବେଶ କରେ ସେଗୁଡ଼ିକୁ ଜାତୀୟ ରାଜପଥ ଶୁଳ୍କ ନିୟମ ୨୦୦୮ ଅନୁଯାୟୀ ଦୁଇଗୁଣ ଶୁଳ୍କ ଦେବାକୁ ପଡ଼ିବ। ଟୋଲପ୍ଲାଜାଗୁଡ଼ିକ ଦେଇ ଯଦି ସବୁ ଗାଡ଼ି ଫାସଟ୍ୟାଗ୍‌ ଦ୍ବାରା ଶୁଳ୍କ ପ୍ରଦାନ କରନ୍ତି ତା’ହେଲେ ଡିଜିଟାଲ ମୋଡ୍‌ରେ ଶୁଳ୍କ ପ୍ରଦାନ ବଢ଼ିବ। ଏଥିସହିତ ଗାଡ଼ିଗୁଡ଼ିକୁ ଟୋଲ୍‌ ପ୍ଲାଜାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଫଳରେ ଗାଡ଼ିଗୁଡ଼ିକର ତେଲ ଖର୍ଚ୍ଚ କମିବ ଏବଂ ଗାଡ଼ି ଚାଳକମାନେ ସହଜରେ ରାସ୍ତାରେ ଯା’ଆସ କରିପାରିବେ। ପରିବହନ ମନ୍ତ୍ରାଳୟ ପକ୍ଷରୁ ‘ଏମ୍‌’ ଓ ‘ଏନ୍‌’ ବର୍ଗର ଗାଡ଼ିଗୁଡ଼ିକ ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି। ‘ଏମ୍‌’ ବର୍ଗର ଗାଡ଼ି କହିଲେ ତାହାକୁ ବୁଝାଏ ଯେଉଁଗୁଡ଼ିକରେ ଅତିକମ୍‌ରେ ୪ଟି ଚକା ଲାଗିଛି ଏବଂ ସେଥିରେ ଯାତ୍ରୀ ପରିବହନ ହେଉଛି। ସେହିଭଳି ‘ଏନ୍‌’ ବର୍ଗର ଗାଡ଼ି ‌କହିଲେ ଯେଉଁ ଗାଡ଼ିଗୁଡ଼ିକରେ ଅତିକମ୍‌ରେ ୪ଟି ଚକା ଲାଗିଛି ଏବଂ ସେଥିରେ ଉଭୟ ମାଲ ଏବଂ ଯାତ୍ରୀ ଯାତାୟତ କରିଥାନ୍ତି ତାହାକୁ ବୁଝାଇଥାଏ।

ଏଥିସହିତ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି କହିଛନ୍ତି ଯେ ଫାସଟ୍ୟାଗ୍ ବ୍ୟବହାର ପାଇଁ ସମୟସୀମା ବୃଦ୍ଧି କରାଯିବ ନାହିଁ। ତେଣୁ ଗାଡ଼ି ମାଲିକମାନେ ତୁରନ୍ତ ଇ-ପେମେଣ୍ଟ ସୁବିଧା ବ୍ୟବହାର କରନ୍ତୁ। ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ତାରିଖ ଏକାଧିକ ଥର ଘୁଞ୍ଚାଯାଇଛି। ତେଣୁ ଏଥିପାଇଁ ଆଉ ସମୟ ବଢ଼ାଯିବ ନାହିଁ ବୋଲି ସେ କହିଛନ୍ତି। ତେବେ ଦେଶରେ କେତେକ ରୁଟ୍‌ରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଫାସଟ୍ୟାଗ୍ ଏବେ ବ୍ୟବହାର ହେଉଥିବାବେଳେ ୧୦ ପ୍ରତିଶତ ଗାଡ଼ିଗୁଡ଼ିକ ଏହାକୁ ଆପଣାଇ ନାହାନ୍ତି ବୋଲି ଜଣାଯାଇଛି। ଦେଶରେ ୨୩ଟି ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ଏବଂ ୩୦ ହଜାର ପିଓଏସ୍‌ (ପଏଣ୍ଟ୍‌ ଅଫ୍‌ ସେଲ୍‌)ରେ ଫାସଟ୍ୟାଗ୍‌ କିଣାଯାଇ ପାରିବ। ଉଭୟ ଅନଲାଇନ୍, ୟୁପିଆଇ କିମ୍ବା କ୍ରେଡିଟ୍ କାର୍ଡରେ ଏହାକୁ ରିଚାର୍ଜ କରାଯାଇ ପାରୁଛି। ଟୋଲ ପ୍ଲାଜା ଦେଇ ଗାଡ଼ି ଯିବା ସମୟରେ ଗାଡ଼ିରେ ଲାଗିଥିବା ଫାସଟ୍ୟାଗରୁ ଆପେ ଶୁଳ୍କ କଟିଯିବ।

ସମ୍ବନ୍ଧିତ ଖବର