ନୂଅାଦିଲ୍ଲୀ: ଟ୍ବିଟର୍ର ମାଲିକ ବନିବା ପରେ ଏଲନ୍ ମସ୍କ ଟ୍ବିଟର୍ କର୍ମଚାରୀଙ୍କ ଛଟେଇ ପର୍ବ ଆରମ୍ଭ କରିଛନ୍ତି। କମ୍ପାନି ପକ୍ଷରୁ କର୍ମଚାରୀମାନଙ୍କୁ କୁହାଯାଇଥିଲା ଯେ ଶୁକ୍ରବାର ସକାଳ ୯ଟା ସୁଦ୍ଧା ସେମାନଙ୍କ ଚାକିରି ଅଛି କି ନାହିଁ ସେମାନଙ୍କୁ ମେଲ୍ ଜରିଆରେ ସୂଚାଇ ଦିଆଯିବ। ପୂର୍ବରୁ ଏକ ରଏଟର୍ସ ପୋଷ୍ଟ୍ ଜରିଆରେ କୁହାଯାଇଥିଲା ଯେ ଟ୍ବିଟର୍କୁ ଏକ ସୁସ୍ଥ ପଥରେ ନେବା ପାଇଁ କମ୍ପାନି ବିଶ୍ବ ସ୍ତରରେ ତା’ର କିଛି କର୍ମଚାରୀଙ୍କୁ ହଟାଇବାର ନିଷ୍ପତ୍ତି ନେଇଛି।
ଗୁରୁବାର ଦିନ କମ୍ପାନି ପକ୍ଷରୁ କର୍ମଚାରୀମାନଙ୍କ ନିକଟରୁ ଏକ ମେଲ୍ ଯାଇଥିଲା, ଯାହାକି ଅତ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ମେଲ୍ରେ ଲେଖାଯାଇଥିଲା, ‘ଯଦି ତମେ ଅଫିସ୍ ଅସୁଛ ତ ଘରକୁ ଫେରିଯାଆ’। ଏପରି ନିଆରା ଶୈଳୀର ଏକ ମେଲ୍ କରି କର୍ମଚାରୀଙ୍କ ଛଟେଇ କରିଥିବା ମାଲିକ ଏଲନ୍ ମସ୍କଙ୍କୁ ନେଇ ଏବେ ବହୁ ଆଲୋଚନା ସମାଲୋଚନା ଉଠିଛି।
କର୍ମଚାରୀମାନଙ୍କୁ ଛଟେଇ କରିବା ସହ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସମାଧାନ ନହେବା ପର୍ଯ୍ୟନ୍ତ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ର କାର୍ଯ୍ୟାଳୟ କିଛି ଦିନ ପାଇଁ ବନ୍ଦ ରହିବ ବୋଲି ପୂର୍ବରୁ ସୂଚନା ରହିଛି।
ଏଲନ ମସ୍କ ଟ୍ବିଟର୍କୁ କିଣିବା ପରେ ବହୁ ପରିବର୍ତ୍ତନ ଘଟିବାକୁ ଯାଉଛି। କିଛି ପରିବର୍ତ୍ତନ ଘଟିବା ଆରମ୍ଭ ବି ହୋଇଗଲାଣି। ଜାଣିବାକୁ ମିଳିଛି ଯେ ମସ୍କ ତାଙ୍କ ବୋର୍ଡର ପୂରା ଟିମ୍କୁ ପଦରୁ କାଢ଼ି ସେ ଏହି ମାଇକ୍ରୋବ୍ଲଗିଂ ସାଇଟ୍ର ଏକମାତ୍ର ନିର୍ଦ୍ଦେଶକ ସାଜିଛନ୍ତି। ମସ୍କଙ୍କର ଏହି ନିଷ୍ପତ୍ତି ପରେ ଟ୍ବିଟର୍ ବୋର୍ଡର ସଦସ୍ୟମାନେ ଆଉ ଟ୍ବିଟର୍ର ନିର୍ଦ୍ଦେଶକ ହୋଇ ନାହାନ୍ତି।