ଆୟକର ନଦେଲେ ୨ ଗୁଣା ଟିଡିଏସ୍‌ କଟିବ, ଜୁଲାଇ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କରିନଥିବା ଲୋକମାନଙ୍କୁ ଦୁଇ ଗୁଣା ଟିଡିଏସ୍‌/ ଟିସିଏସ୍‌ ଗଣିବାକୁ ପଡ଼ିବ। ଚଳିତ ବର୍ଷ ବଜେଟ୍‌ରେ ଏନେଇ ଘୋଷଣା କରାଯାଇଥିଲା। ଏହି ନୂଆ ନିୟମ ଜୁଲାଇ ୧ରୁ ଲାଗୁ ହେବ। ଯେଉଁ ଟିକସଦାତାମାନେ ପୂର୍ବ ଦୁଇ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ କରିନଥିବେ ଓ ସେ କରିଥିବା ପେମେଣ୍ଟରୁ କଟିଥିବା ଟିଡିଏସ୍‌ କିମ୍ବା ଟିସିଏସ୍‌ ରାଶି ପରିମାଣ ବର୍ଷକୁ ୫୦ ହଜାର ଟଙ୍କାରୁ ଅଧିକ ହୋଇଥିବ ତେବେ ତାଙ୍କୁ ଅଧିକ ଟିଡିଏସ୍‌ ଗଣିବାକୁ ପଡ଼ିବ। ଟିଡିଏସ୍‌ କାଟୁଥିବା ସଂସ୍ଥାଗୁଡ଼ିକର କାମ ସହଜ କରିବା ଲାଗି ଆୟକର ପୋର୍ଟାଲ୍‌ରେ ଏକ ସୁବିଧା ପ୍ରଦାନ କରାଯାଇଛି। ଟିକସଦାତାଙ୍କ ପାନ୍ ନମ୍ବର ସେଥିରେ ଦାଖଲ କଲେ ସେ ପୂର୍ବ ଦୁଇ ଆର୍ଥିକ ବର୍ଷ‌ରେ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ନା ନାହିଁ ତାହା ଜଣାପଡ଼ିବ। ଆୟକର ବିଭାଗ ତରଫରୁ ଏକ ସ୍ବତନ୍ତ୍ର ଡାଟାବେସ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯେଉଁମାନେ ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି ଓ ଯେଉଁମାନଙ୍କ ବାର୍ଷିକ ଟିଡିଏସ୍‌ ରାଶି ୫୦ ହଜାର ଟଙ୍କାରୁ ଅଧିକ ରହିଛି ସେମାନଙ୍କ ନାମ ଏହି ଡାଟାବେସ୍‌ରେ ସାମିଲ କରାଯାଇଛି।

ଉଦାହରଣ ସ୍ବରୂପ, ଧରାଯାଉ ଜଣେ ଟିକସଦାତା ୨୦୧୮-୧୯ ଓ ୨୦୧୯-୨୦ ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି। କିନ୍ତୁ ଫିକ୍ସଡ୍‌ ଡିପୋଜିଟ୍, ଲାଭାଂଶ ଆୟ ଓ ରିକରିଂ ଡିପୋଜିଟ୍‌ରୁ ସୁଧ ଆୟରୁ କଟିଥିବା ଟିଡିଏସ୍‌ ପ୍ରତି ଆର୍ଥିକ ବର୍ଷରେ ୫୦ ହଜାର ଟଙ୍କାରୁ ଅଧିକ ହୋଇଥିବ ତେବେ ଏଭଳି ପରିସ୍ଥିତିରେ ଜୁଲାଇ ୧ ପରଠାରୁ ତାଙ୍କୁ ଅଧିକ ଟିଡିଏସ୍‌ ଗଣିବାକୁ ପଡ଼ିବ। ଟ୍ୟାକ୍ସ୨ୱିନ୍ ଡଟ୍‌ ଇନ୍‌ର ସିଇଓ ଅଭିଶେକ ସୋନି କହିଛନ୍ତି ଯେ ଆୟକର ନିୟମ ୧୯୬୧ରେ ଏହି ନୂଆ ବ୍ୟବସ୍ଥା କରିବାର ପ୍ରମୁଖ କାରଣ ହେଉଛି ସବୁ ଟିକସଦାତାଙ୍କ ଦ୍ବାରା ଆୟକର ରିଟର୍ଣ୍ଣ ଦାଖଲକୁ ନିଶ୍ଚିତ କରିବା। ଅନେକ କ୍ଷେତ୍ରରେ ସୁଧ ଆୟରୁ ଟିଡିଏସ୍‌ କଟୁଛି କିନ୍ତୁ ସେହି ବ୍ୟକ୍ତି ଆୟକର ରିଟର୍ଣ୍ଣ ଦାଖଲ କରୁନାହାନ୍ତି। ସରକାର ଯେଭଳି ସଠିକ୍ ଆୟର ସୂଚନା ପାଇବେ ସେଥିପାଇଁ ଭବିଷ୍ୟତ ଆୟ ଉପରେ ଅଧିକ ଟିଡିଏସ୍‌ ଲଗାଇ ଆୟକର ରିଟର୍ଣ୍ଣ ଦାଖଲକୁ ବାଧ୍ୟତାମୂଳକ କରିବାକୁ ଉଦ୍ୟମ କରାଯାଇଛି। ଅଧିକ ଟିଡିଏସ୍‌ ‌ନଗଣିବା ଲାଗି ପେମେଣ୍ଟ ପ୍ରଦାନକାରୀଙ୍କୁ ନିଶ୍ଚିତ ରୂପେ ପାନ୍ ନମ୍ବର ଦେବାକୁ କୁହାଯାଇଛି।

ତେବେ ସବୁ ପ୍ରକାର ଆୟ ଉପରେ ଏହି ନୂଆ ନିୟମ ଲାଗୁ ହେବ ନାହିଁ। କେତେକ ନିର୍ଦିଷ୍ଟ ପ୍ରକାର ଆୟକୁ ଏଥିରୁ ବାଦ ଦିଆଯାଇଛି। ବେତନ, ଇପିଏଫ୍‌ରୁ କର୍ମଚାରୀଙ୍କୁ ମିଳିଥିବା ପେମେଣ୍ଟ୍‌, ଲଟେରି କିମ୍ବା କ୍ରସ୍‌ୱାର୍ଡ ପଜଲ୍‌ରୁ ବିଜୟ, ଘୋଡ଼ା ଦୌଡ଼ରୁ ବିଜୟ, ଟ୍ରଷ୍ଟ୍‌ର ପ୍ରତିଭୂତିକରଣ ପାଇଁ ନିବେଶରୁ ଆୟ ଓ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ନଗଦ ରାଶି ଉଠାଣ ଆଦିକୁ ଏହି ନୂଆ ନିୟମରୁ ବାଦ ଦିଆଯାଇଛି। ଇକ୍ବିଟି ସେୟାର ଓ ମ୍ୟୁଚୁଆଲ ଫଣ୍ଡ୍‌ରୁ ମିଳିଥିବା ଲାଭାଂଶ, ଫିକ୍ସଡ ଡିପୋଜିଟ ଓ ରିକରିଂ ଡିପୋଜିଟ୍‌ର ସୁଧରୁ ହୋଇଥିବା ଆୟ, ଆନୁଇଟି ପେନ୍‌ସନ୍ ଆଦିରୁ ହେଉଥିବା ଆୟ ଉପରେ ଏହି ନୂତନ ନିୟମ ଲାଗୁ କରାଯିବ।

ସମ୍ବନ୍ଧିତ ଖବର