ବଢ଼ିଲା ସର୍ବନିମ୍ନ ମଜୁରି, ଦେଢ଼ କୋଟି ଶ୍ରମିକ ଉପକୃତ ହେବେ

ମାସକୁ ୨୦୦୦-୫୦୦୦ ଟଙ୍କା ଅଧିକ ପାଇବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (ଭିଡିଏ) ହାରରେ ସଂଶୋଧନ କରିଛନ୍ତି। ଏହା ୨୦୨୧ ଏପ୍ରିଲ୍‌ ୧ରୁ ପିଛିଲା ଭା‌ବେ ଲାଗୁ ହେବ। ଏହି ମହଙ୍ଗା ଭତ୍ତାରେ ହୋଇଥିବା ପରିବର୍ତ୍ତନର ଲାଭ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ମିଳିବ ନାହିଁ। ବିଭିନ୍ନ କେନ୍ଦ୍ରୀୟ କ୍ଷେତ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରାୟ ଦେଢ଼ କୋଟି ଲୋକ ଏହି ନିଷ୍ପତ୍ତି ଦ୍ବାରା ଲାଭବାନ ହେବେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ କେନ୍ଦ୍ର ସରକାର, ରେଳ ପ୍ରଶାସନ, ଖଣି, ତୈଳ କ୍ଷେତ୍ର, ପ୍ରମୁଖ ବନ୍ଦର ଓ କେନ୍ଦ୍ର ସରକାର ସ୍ଥାପନ କରିଥିବା ନିଗମଗୁଡ଼ିକରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହାର ଲାଭ ପାଇବେ। ସମସ୍ତ ପ୍ରକାର ଚୁକ୍ତି ଭିତ୍ତିକ ଓ କାଜୁଆଲ କର୍ମଚାରୀ ଓ ଶ୍ରମିକମାନଙ୍କ ଲାଗି ସମାନ ଭାବେ ଏହି ହାର ଲାଗୁ ହେବ।

ଏହାକୁ ସର୍ବନିମ୍ନ ମଜୁରି ବୃଦ୍ଧି ବୋଲି ମଧ୍ୟ କୁହାଯାଉଛି। ଶ୍ରମିକମାନଙ୍କ ପେସା ଓ ସେମାନେ କାର୍ଯ୍ୟ କରୁଥିବା କ୍ଷେତ୍ର ଅନୁସାରେ ଦୈନିକ ମଜୁରିରେ ୧୦୫ ଟଙ୍କାରୁ ୨୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ମାସିକ ଭିତ୍ତିରେ ଶ୍ରମିକମାନଙ୍କ ମଜୁରିରେ ୨୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି ହେବ। ଅଣ କୁଶଳୀ ଖଣି ଶ୍ରମିକମାନେ ଦୈନିକ ୪୩୧ ଟଙ୍କା ଓ ମାଟି ତଳେ ରହି କାର୍ଯ୍ୟ କରୁଥିବା ଶ୍ରମିକମାନେ ଦୈନିକ ୫୩୯ ଟଙ୍କା ପାଇବେ। ଖଣି ଉପରେ ରହି କାର୍ଯ୍ୟ କରୁଥିବା ଉଚ୍ଚ କୁଶଳୀ ଖଣି ଶ୍ରମିକମାନେ ଦୈନିକ ୭୫୨ ଟଙ୍କା ଓ ମାଟି ତଳେ ରହି କାମ କରୁଥିବା ଉଚ୍ଚ କୁଶଳୀ ଶ୍ରମିକମାନେ ଦୈନିକ ୮୪୦ ଟଙ୍କା ପାଇବେ। କୃଷି ଶ୍ରମିକ, କୋଠା ଓ ନିର୍ମାଣ ଶ୍ରମିକ, ସଫେଇ କର୍ମୀ, ନିରପତ୍ତାରକ୍ଷୀ ଏବଂ ଲୋଡିଂ ଓ ଅନ୍‌ଲୋଡିଂ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ମଧ୍ୟ ବୃଦ୍ଧି କରାଯାଇଛି।ଶିଳ୍ପ ଶ୍ରମିକମାନଙ୍କ ପାଇଁ ପ୍ରକାଶ ପାଉଥିବା ଉପଭୋକ୍ତା ମୂଲ୍ୟ ସୂଚୀ ଆଧାରରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ସଂଶୋଧିତ ହୋଇଥାଏ। ଶ୍ରମ ବ୍ୟୁରୋ ତରଫରୁ ଏହି ସୂଚୀ ଜାରି କରାଯାଏ। ଏବେ ମହଙ୍ଗା ଭତ୍ତାରେ ଯେଉଁ ପରିବର୍ତ୍ତନ କରାଯାଇଛି ସେଥିପାଇଁ ୨୦୨୦ର ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତର ଉପଭୋକ୍ତା ମୂଲ୍ୟ ସୂଚୀକୁ ବିଚାରକୁ ନିଆଯାଇଛି। ମୁଖ୍ୟ ଶ୍ରମ କମିସନର (କେନ୍ଦ୍ର) ନିରୀକ୍ଷଣ ଅଧିକାରୀଙ୍କ ଦ୍ବାରା ସର୍ବନିମ୍ନ ମଜୁରି ନିୟମ ଲାଗୁ କରାଯାଏ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ବୃ୍ଦ୍ଧି ବିଳମ୍ବିତ ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହା ଉପରେ ସରକାର ରୋକ ଲଗାଇଛନ୍ତି। ଆସନ୍ତା ମାସରେ ସେମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର