ପୁରୁଣା ଗାଡ଼ି ସ୍କ୍ରାପ୍‌ରେ ବିକିଲେ, ନୂଆ ଗାଡ଼ିରେ ମିଳିବ ୫% ରିହାତି

ପ୍ରଥମ ପର୍ଯ୍ୟାୟରେ କୋଟିଏ ଗାଡ଼ି ସ୍କ୍ରାପ୍‌ରେ ପରିଣତ ହେବ

ନୂଆଦିଲ୍ଲୀ: ଗାଡ଼ି ସ୍କ୍ରାପେଜ୍ ନୀତିରେ ଯେଉଁ ଗ୍ରାହକମାନେ ନିଜ ପୁରୁଣା ଗାଡ଼ି ବଦଳାଇବେ ସେମାନଙ୍କୁ ନୂଆ ଗାଡ଼ି କିଣିବା ବେଳେ ୫% ରିହାତି ମିଳିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ୨୦୨୧-୨୨ ବଜେଟ୍‌ରେ ସ୍ବେଚ୍ଛାଧୀନ ଗାଡ଼ି ସ୍କ୍ରାପେଜ୍‌ ନୀତି ବିଷୟରେ ଘୋଷଣା କରାଯାଇଛି। କିନ୍ତୁ ଏହାର ଚୂଡ଼ାନ୍ତ ରୂପରେଖ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଏହି ନୀତିର ମୂଳ ଲକ୍ଷ୍ୟ ହେଉଛି ପ୍ରଦୂଷଣ କରୁଥିବା ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା।

ଗାଡ଼ି ସ୍କ୍ରାପେଜ୍ ନୀତି ସମ୍ପର୍କରେ ସୂଚନା ଦେଇ ଗଡ଼କାରୀ କହିଛନ୍ତି ଯେ ଏହି ନୀତିରେ ଚାରିଟି ପ୍ରମୁଖ ବିଷୟ ରହିଛି। ରିହାତି ଗୋଟିଏ ବଡ଼ ଅଂଶ ହୋଇଥିବା ବେଳେ ପ୍ରଦୂଷଣ କରୁଥିବା ପୁରୁଣା ଗାଡ଼ି ଉପରେ ସବୁଜ ଟିକସ ଓ ଅନ୍ୟାନ୍ୟ ଶୁଳ୍କ ଲଗାଇବା ହେଉଛି ଆଉ ଏକ ଉପାଦାନ। ବାଧ୍ୟତାମୂଳକ ଫିଟ୍‌ନେସ୍‌ ଓ ପ୍ରଦୂଷଣ ପରୀକ୍ଷାକୁ ସ୍ବୟଂକ୍ରିୟ କରାଯିବ। ଏଥିପାଇଁ ସାରା ଦେଶରେ ସ୍ବୟଂକ୍ରିୟ ଫିଟ୍‌ନେସ୍‌ ସେଣ୍ଟର ଖୋଲାଯିବ। ଘରୋଇ ସରକାରୀ ସହଭାଗିତାରେ ଏଭଳି ସେଣ୍ଟର୍‌ ଖୋଲାଯିବ। ସ୍କ୍ରାପେଜ୍ ସେଣ୍ଟର୍‌ ପାଇଁ ଘରୋଇ ସଂସ୍ଥା ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସହଯୋଗ ପ୍ରଦାନ କରିବେ। ସ୍ବୟଂକ୍ରିୟ ପରୀକ୍ଷାରେ ଯେଉଁ ଗାଡ଼ିଗୁଡ଼ିକ ବିଫଳ ହେବ ‌ସେହି ଗାଡ଼ି ଉପରେ ଚଢ଼ା ଦରରେ ଜରିମାନା ଲାଗୁ କରାଯିବ। ଏହି ନୀତି ଗାଡ଼ି କଂପାନିଗୁଡ଼ିକ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କୋଟିଏରୁ ଅଧିକ ପ୍ରଦୂଷଣ କରୁଥିବା ଗାଡ଼ିକୁ ସ୍କ୍ରାପ୍‌ରେ ପରିଣତ କରାଯିବ ବୋଲି ଶ୍ରୀ ଗଡ଼କାରୀ ଆକଳନ କରିଛନ୍ତି। ସେଥି ମଧ୍ୟରୁ ୫୧ ଲକ୍ଷ ହେଉଛି ଲଘୁ ବାଣିଜ୍ୟିକ ଯାନ। ସେହି ଗାଡ଼ିଗୁଡ଼ିକ ୨୦ ବର୍ଷରୁ ଅଧିକ ପୁରୁଣା।

ସେହିଭଳି ୧୫ ବର୍ଷରୁ ଅଧିକ ପୁରୁଣା ୩୪ ଲକ୍ଷ ଲଘୁ ବାଣିଜ୍ୟିକ ଯାନ ମଧ୍ୟ ସ୍କ୍ରାପ୍‌ରେ ପରିଣତ ହେବ ବୋଲି ଆକଳନ କରାଯାଇଛି। ବୈଧ ଫିଟ୍‌ନେସ୍‌ ସାର୍ଟିଫିକେଟ୍ ନଥିବା ୧୫ ବର୍ଷରୁ ଅଧିକ ପୁରୁଣା ୧୭ ଲକ୍ଷ ମଧ୍ୟମ ଓ ଭାରି ଯାନ ମଧ୍ୟ ସ୍କ୍ରାପ୍‌ରେ ପରିଣତ ହେବ ବୋଲି ଆକଳନ କରାଯାଇଛି। ବିଏସ୍‌-୬ ନିୟମ ଲାଗୁ ହେବା ଏବଂ କରୋନା ମହାମାରୀ ପ୍ରଭାବରେ ଦେଶର ଗାଡ଼ି ବଜାର ଏବେ ଆଗକୁ ବଢ଼ିବାକୁ ସଂଘର୍ଷ କରୁଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ସ୍କ୍ରାପେଜ୍ ନୀତି ଗାଡ଼ି କଂପାନିଗୁଡ଼ିକ ପାଇଁ ଲାଭଦାୟକ ହେବ। ଏହା ଦ୍ବାରା ଅଟୋମୋବାଇଲ୍ ଶିଳ୍ପ ଆକାର ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଗଡ଼କରୀ ଆକଳନ କରିଛନ୍ତି। ଏବେ ଦେଶର ଗାଡ଼ି ବଜାର ପରିମାଣ ୪.୫ ଲକ୍ଷ କୋଟି ଟଙ୍କା ରହିଛି। ସ୍କ୍ରାପେଜ୍ ନୀତି କାର୍ଯ୍ୟକାରୀ ହେବାର କିଛି ସମୟ ପରେ ଗାଡ଼ିର ପାର୍ଟସ୍‌ ତିଆରି ଲାଗି ଦରକାର ହେଉଥିବା ସ୍କ୍ରାପ୍ ଉପକରଣ ଯଥା ଇସ୍ପାତ, ପ୍ଲାଷ୍ଟିକ୍, ରବର, ଆଲୁମିନିୟମ୍ ଆଦି ସୁବିଧାରେ ମିଳିବ। ଫଳରେ ଖର୍ଚ୍ଚ ୩୦-୪୦% ହ୍ରାସ ପାଇବ। ଗାଡ଼ି ସ୍କ୍ରାପେଜ୍ ନୀତି ଜରିଆରେ ୧୦ ହଜାର କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଆସିବ ଏବଂ ପ୍ରାୟ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକ ଉପରେ ସବୁଜ ଟିକସ ଲଗାଇବା ପାଇଁ ସରକାର ଯୋଜନା ରଖିଛନ୍ତି। ଆଠ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ଫିଟ୍‌ନେସ୍‌ ସାର୍ଟିଫିକେଟ୍ ନବୀକରଣ କରିବା ବେଳେ ସଡ଼କ ଟିକସର ୧୦-୨୫% ରାଶିକୁ ସବୁଜ ଟିକସ ଭାବେ ଆଦାୟ କରାଯିବ। ତେବେ ହାଇବ୍ରିଡ୍, ଇଲେକ୍ଟ୍ରିକ୍ ଯାନ ଏବଂ ସିଏନ୍‌ଜି, ଇଥାନଲ୍‌ ଓ ଏଲ୍‌ପିଜି ଭଳି ବିକଳ୍ପ ଇନ୍ଧନରେ ଚାଲୁଥିବା ଗାଡ଼ିଗୁଡ଼ିକରେ ଏହି ଟିକସ ଲଗାଯିବ ନାହିଁ। ସବୁଜ ଟିକସ ସମ୍ପର୍କିତ ଚିଠାକୁ ମନ୍ତ୍ରଣାଳୟ ମଞ୍ଜୁର କରିବା ପରେ ତାହାକୁ ଆଲୋଚନା ପାଇଁ ରାଜ୍ୟଗୁଡ଼ିକ ନିକଟକୁ ପଠାଯାଇଛି।

ସମ୍ବନ୍ଧିତ ଖବର