ନୂଆଦିଲ୍ଲୀ: ନବେ ଦଶକରେ ଭାରତରେ ବେଶ୍ ଲୋକପ୍ରିୟ ଥିବା ଦକ୍ଷିଣ କୋରିଆ କଂପାନି ଦେଉ ପୁଣି ଥରେ ଭାରତୀୟ ବଜାରକୁ ପ୍ରତ୍ୟାବର୍ତ୍ତନ କରିଛି। କଂପାନି ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି କରିବ। ସିଏଲୋ ଓ ମଟିଜ୍ ଭଳି କାର୍‌ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଦେବୁ ଭାରତ ଆସିବା ପାଇଁ କେଲ୍‌ୱନ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଆପ୍ଲାଏନ୍‌ସେସ୍‌ ସହ ଲାଇସେନ୍ସ ବୁଝାମଣା ସ୍ବାକ୍ଷର କରିଛି।

Advertisment

‌ପୋସ୍କୋ ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଦେଉ ଆମେରିକା, ୟୁରୋପ, ଚୀନ୍, ମଧ୍ୟପ୍ରାଚ୍ୟ ଓ ୟୁଏଇରେ ବେଶ ପରିଚିତ। ଭାରତୀୟ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ କଂପାନି ପୁଣି ଥରେ ଏଠାକୁ ଆସିବାକୁ ନିଷ୍ପତ୍ତି ନେଇଛି ବୋଲି ଦେଉ ଇଣ୍ଡିଆର ନିର୍ଦ୍ଦେଶକ ଚାନ୍ ରିୟୁ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପାଇଁ ବ୍ୟାଟେରି ଓ ସୋଲାର ବ୍ୟାଟେରି ଓ ଇନଭର୍ଟର ଭଳି ଅନ୍ୟାନ୍ୟ ଶକ୍ତି ଉତ୍ପାଦ ବିକ୍ରି କରିବ।

ଏହା ବ୍ୟତୀତ କଂପାନି ଏୟାର ପ୍ୟୁରିଫାୟର, ଏଲ୍‌ଇଡି ଟିଭି, ଅଡିଓ ସ୍ପିକର, ୱାଟର ପ୍ୟୁରିଫାୟର, ସ୍ମାର୍ଟ ଫ୍ୟାନ୍, ଏୟାର କୁଲର ଓ ହୋମ୍ ଅଟୋମେସନ ସିଷ୍ଟମ୍ ଆଣିବ। ତିନି ବର୍ଷ ମଧ୍ୟରେ କଂପାନି ଇ-ବାଇକ୍ ଓ ଇ-ସାଇକଲ୍ ମଧ୍ୟ ଆଣିବ। ୧୯୯୫ରେ ଦେଉ ଭାରତ ଆସିବା ସହ ସିଏଲୋ ସେଡାନର ବଜାର ପ୍ରବେଶ କରିଥିଲା। ୨୦୦୧ରେ ଜେନେରାଲ ମୋଟର୍ସ ଏହାର ଭାରତୀୟ ସହାୟକ କଂପାନିକୁ ବା‌ଦ ‌ଦେଇ ଅନ୍ୟ ସମ୍ପତ୍ତିଗୁଡ଼ିକୁ କିଣିଥିଲା। ତେଣୁ ୨୦୦୩-୦୪ରେ ଦେଉକୁ ବନ୍ଦ କରିଦିଆଯାଇଥିଲା। କିଛି ବର୍ଷ ପରେ ପୋସ୍କୋ ତାହାକୁ କିଣିଥିଲା।