ନୂଆଦିଲ୍ଲୀ: ଦେଶର କୃଷି କ୍ଷେତ୍ର ବହୁତ ଭଲ ପ୍ରଦର୍ଶନ କରୁଛି। ଗତ ଛଅ ବର୍ଷରେ ଏହି କ୍ଷେତ୍ର ବାର୍ଷିକ ହାରାହାରି ୪.୬% ହାରରେ ଆଗକୁ ବଢ଼ିଛି। ୨୦୨୧-୨୨ରେ କୃଷି ଅଭିବୃଦ୍ଧି ୩ ପ୍ରତିଶତ ରହିଛି। ମାତ୍ର ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବ, ଜମିର ମାଲିକାନା, କମ୍ ଯନ୍ତ୍ରାଂଶ ବ୍ୟବହାର, ଚାଷ ଖର୍ଚ୍ଚରେ ବୃଦ୍ଧି, ଅମଳ ହ୍ରାସ, ଶ୍ରମିକ ଅଭାବ ଆଦି ବିଭିନ୍ନ କାରଣ ଯୋଗୁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି। ଦେଶର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କୃଷି ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର।
ସଠିକ୍ ସମୟରେ ସବୁ ବର୍ଗର ଚାଷୀଙ୍କ ପାଖରେ ସୁଲଭ ସୁଧ ହାରରେ ଋଣ ପହଞ୍ଚାଇ ଏହି କ୍ଷେତ୍ରରେ ନିବେଶ ବଢ଼ାଇବାକୁ ହେବ। ପିଏମ୍ କିସାନ ଜରିଆରେ ଚାଷୀଙ୍କ ଆୟ ସହାୟତା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ ସଂସ୍ଥାଗତ ଫାଇନାନ୍ସ ଓ ବୀମା ସୁବିଧା ଏବଂ କିସାନ କ୍ରେଡିଟ୍ କାର୍ଡ ଜରିଆରେ ମେସିନ୍ ଓ ଉପକରଣ କିଣିବା ଲାଗି ସହାୟତା ଉତ୍ପାଦନରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। ଉଦ୍ୟାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ଧ୍ୟାନ ଦେଲେ ଚାଷୀମାନେ ବିଭିନ୍ନ ଉତ୍ସରୁ ଆୟ କରିପାରିବେ। ଫଳରେ ପାଣିପାଗ ପରିବର୍ତ୍ତନ ଜନିତ ହେଉଥିବା କ୍ଷତିର ସେମାନେ ମୁକାବିଲା କରିପାରିବେ। ଏହି ସବୁ ପଦକ୍ଷେପ ନେଲେ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ଫସଲ କ୍ଷତିକୁ ହ୍ରାସ ପରିବା ଲାଗି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ଏହି କ୍ଷେତ୍ରର ବିକାଶ ହେଲେ ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀ ପାଇଁ ଭଲ ଦାମ୍ ମିଳିବ।