ଭୁବନେଶ୍ବର: ଭାରତରେ ଜୀବନ ବୀମାକୁ ନେଇ ସଚେତନତା ନିମ୍ନ ସ୍ତରରେ ରହିଛି। ସେଥିପାଇଁ ଅନେକ ଲୋକ ନିଜର ଜୀବନବୀମା କରାଇବାକୁ ଆଗ୍ରହ ଦେଖାଉନାହାନ୍ତି। କିନ୍ତୁ ଏବେ କୋଭିଡ୍ ମହାମାରୀ ସମୟରେ ଅନେକ ଲୋକଙ୍କ ଅସମୟରେ ଦେହାନ୍ତ ହେଉଛି। କେବଳ କୋଭିଡ୍ କାହିଁକି ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ମଧ୍ୟ ଗୃହର ପ୍ରମୁଖ ଆୟକାରୀ ସଦସ୍ୟଙ୍କ ମୃତ୍ୟୁ ହେଉଛି। ତାଙ୍କ ନାମରେ କିଛି ଜୀବନ ବୀମା ଅଛି ନା ନାହିଁ ସେ ବିଷୟରେ ପରିବାର ବର୍ଗଙ୍କ ପାଖରେ ସୂଚନା ନଥାଏ। ତେବେ ଭାରତ ସରକାର ଏଭଳି ଦୁଇଟି ମହତ୍ବକାଂକ୍ଷୀ ବୀମା ଯୋଜନା ଆରମ୍ଭ କରିଥିଲେ ଯାହା ଏଭଳି ଅସମୟରେ ଦୁଇ ଲକ୍ଷ ଟଙ୍କାର ପର୍ଯ୍ୟନ୍ତ ବୀମା ରାଶି ଦେଇପାରିବ।
ଭାରତ ସରକାର ଆରମ୍ଭ କରିଥିବା ଦୁଇ ବୀମା ସ୍କିମ୍ ହେଉଛି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ଗ୍ରାହକଙ୍କ ବ୍ୟାଙ୍କ ଖାତାରୁ ୩୩୦ ଟଙ୍କା କଟୁଛି। ସେହିପରି, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଗ୍ରାହକଙ୍କ ଖାତାରୁ ୧୨ ଟଙ୍କା କଟିଥାଏ। ଯେଉଁ ଲୋକମାନଙ୍କର କୋଭିଡ୍ ଯୋଗୁଁ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଅସମୟରେ ମୃତ୍ୟୁ ହେଉଛି ତାଙ୍କ ନାମରେ ଥିବା ବ୍ୟାଙ୍କ ଖାତାର ଷ୍ଟେଟ୍ମେଣ୍ଟ୍ ବାହାର କରି ଦେଖିଲେ ସେ ଏହି ଦୁଇ ବୀମା ସ୍କିମ୍ରେ ସାମିଲ ହୋଇଥିଲେ ନା ନାହିଁ ତାହା ଜଣାପଡ଼ିବ। କୌଣସି ଆର୍ଥିକ ବର୍ଷରେ ଯଦି ତାଙ୍କ ଖାତାରୁ ୧୨ ଟଙ୍କା କିମ୍ବା ୩୩୦ ଟଙ୍କା କଟିଥିବ ତେବେ ସେ ଏହି ସରକାରୀ ସ୍କିମ୍ର ଅଂଶ ଥିଲେ ବୋଲି ଜଣାପଡ଼ିବ।
ଏ ସମ୍ପର୍କରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ପାସ୍ବୁକ୍ କିମ୍ବା ଆକାଉଣ୍ଟ୍ ଷ୍ଟେଟ୍ମେଣ୍ଟ୍ରୁ ଏକଥା ସହଜରେ ଜଣାପଡ଼ିବ। ଯଦି ୧୨ ଟଙ୍କା କିମ୍ବା ୩୩୦ ଟଙ୍କା କଟିବାର ତଥ୍ୟ ମିଳିବ ତେବେ ମୃତକଙ୍କ ଆଇନଗତ ଉତ୍ତରାଧିକାରୀ ବ୍ୟାଙ୍କରେ ପହଞ୍ଚି ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବା ଲାଗି ଦାବି ଉପସ୍ଥାପନ କରିପାରିବେ। ୨୦୧୫ରେ ଭାରତ ସରକାର ଏହି ଦୁଇ ମହତ୍ବକାଂକ୍ଷୀ ବୀମା ସ୍କିମ୍ ଆରମ୍ଭ କରିଥିଲେ। ବ୍ୟାଙ୍କ ଖାତା ଖୋଲିଥିବା ଲୋକମାନଙ୍କୁ ଏହି ସ୍କିମ୍ରେ ସାମିଲ ହେବା ଲାଗି ବ୍ୟାଙ୍କଗୁଡ଼ିକ ଉତ୍ସାହିତ କରୁଥିଲେ। ଯେହେତୁ ପ୍ରିମିୟମ୍ ରାଶି ବହୁତ କମ୍ ତେଣୁ ଅନେକ ଲୋକ ଏହି ସ୍କିମ୍ରେ ଯୋଡ଼ି ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/money.jpg)