ଭୁବନେଶ୍ବର: ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀ (ଆଇଏଫ୍ଏସ୍) ମନୋଜ କୁମାର ମହାପାତ୍ର, ଅମିତ ନାରଙ୍ଗ ଓ ଗ୍ଲୋରିଆ ଗାଙ୍ଗଟେ ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ସୁଦୀର୍ଘ ଉପକୂଳ, ଗଭୀର ବନ୍ଦର ସହ ଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି।
ଓଡ଼ିଶାର ଶିଳ୍ପନୀତି ସଂକଳ୍ପ-୨୦୨୨ ମାଧ୍ୟମରେ ନୀତିଗତ ନିଷ୍ପତ୍ତି ଗ୍ରହଣରେ ତ୍ୱରାନ୍ୱିତ ପ୍ରକ୍ରିୟା, ପ୍ରଭାବଶାଳୀ ଏକକ ୱିଣ୍ଡୋ ସିଷ୍ଟମ୍ ବ୍ୟବସ୍ଥା ସହ ସ୍ୱଚ୍ଛ ଶାସନ ଓ ବ୍ୟବସାୟ କରିବାର ଅନୁକୂଳତା ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିଛି। ଭାରତର ରାଷ୍ଟ୍ରଦୂତ ଭାବେ ବିଦେଶରେ ଏସବୁ ତଥ୍ୟ ଉପସ୍ଥାପନ କରିପାରିବେ। ଏହା ଦ୍ୱାରା ବିଦେଶୀ ନିବେଶକମାନେ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ସେ କହିଥିଲେ। ରାଜ୍ୟର ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ସେ ଅଧିକାରୀମାନଙ୍କୁ ଅବଗତ କରିଥିଲେ।