ଅର୍ଥନୀତିର କଳାଦାଗକୁ ଅଣଦେଖା କରନି: ରାଜନ

ନୂଆଦିଲ୍ଲୀ: ଆସନ୍ତା ବଜେଟ୍‌ରେ ଭାରତ ସରକାର କେଉଁ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ସେ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମତ ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତ ଆସନ୍ତା ୫ ବର୍ଷରେ ନିଜକୁ କେଉଁ ଠାରେ ଦେଖିବାକୁ ଚାହୁଛି ତାହାର ଯୋଜନା ଏଥର ବଜେଟ୍‌ର ପ୍ରତିଫଳିତ ହେବା ଦରକାର।

ମହାମାରୀ ସମୟରେ ବହୁ ଲୋକ ଜୀବିକା ହରାଇଛନ୍ତି। ସେମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ନିର୍ମାଣରେ ନିବେଶ କରିବାକୁ ପଡ଼ିବ। ତାହା ହେଲେ ନୂଆ ନିଯୁକ୍ତି ସୃଷ୍ଟି ହେବ। ଏଥି ସହିତ ଇସ୍ପାତ, ତମ୍ବା, ସିମେଣ୍ଟ ଆଦିର ଚାହିଦା ମଧ୍ୟ ବଢ଼ିବ। ମନରେଗା ଭଳି ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପ୍ରତି ଏବେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ‌ବୋଲି ରାଜନ କହିଛନ୍ତି। ଅର୍ଥନୀତିରେ ଯେଉଁ କଳା ଦାଗ ରହିଛି ତାହାକୁ ଅଣଦେଖା କରିବା ଅନୁଚିତ। ଏବେଠାରୁ ତାହାର ସମାଧାନ କରାନଗଲେ ଭବିଷ୍ୟତରେ ତାହା ଅଧିକ ଯନ୍ତ୍ରଣା ଦେବ। ଅର୍ଥନୀତିର କଳାଦାଗୁଡ଼ିକ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ହରାଇଥିବା ଜୀବନଜୀବିକା। ସହର ଚାକିରି ଛାଡ଼ି ଲୋକମାନେ କୃଷି କାର୍ଯ୍ୟ ହାତକୁ ନେଉଛନ୍ତି, ଏହା ଆଧୁନିକ ଅର୍ଥନୀତି ପାଇଁ ଭଲ ନୁହେଁ। କେବଳ କିଛି ନିର୍ଦିଷ୍ଟ ସଂଖ୍ୟକ ଲୋକ କୃଷି କ୍ଷେତ୍ରରେ ନିୟୋଜିତ ରହିଲେ ଭଲ ହେବ ବୋଲି ସେ କହିଛନ୍ତି। ଦୁଇ ବର୍ଷ ହେଲାଣି ପିଲାମାନଙ୍କ ପାଠପଢ଼ା ବନ୍ଦ ରହିଛି। ଏହାର ପ୍ରଭାବରେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବଢ଼ିବ। ତାହା ମଧ୍ୟ ଅର୍ଥନୀତି ପାଇଁ କଳାଦାଗ ସଦୃଶ। ଏହି ସବୁ ଦିଗ ପ୍ରତି ସରକାରଙ୍କୁ ବିଶେଷ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ବ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାରେ ଭାରତ ପାଇଁ ବ୍ୟାପକ ସୁଯୋଗ ରହିଛି। ବିଶେଷ କରି ଟେଲିମେଡିସିନ, ଟେଲି-ଆଇନ ପରାମର୍ଶ, ଶିକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଆମେ ବହୁ ଆଗରେ ଅଛୁ। ସେଗୁଡ଼ିକୁ ଆମେ ସମଗ୍ର ବିଶ୍ବରେ ସମ୍ପ୍ରସାରିତ କରି ଉପକୃତ ହୋଇପାରିବା। ବର୍ତ୍ତମାନ ପରିସ୍ଥିତିରେ ଶିଳ୍ପ ସଂସ୍ଥାଗୁଡ଼ିକ ସରକାରଙ୍କ ସହଯୋଗ ଆବଶ୍ୟକ କରୁଛନ୍ତି। ପାଣ୍ଠି ନୁହେଁ ନୀତି ନିୟମ ସୁବିଧା ଚାହୁଛନ୍ତି। ସେ ଉଦାହରଣ ଦେଇ କହିଛନ୍ତି ଆମର ତଥ୍ୟ ସୁରକ୍ଷା ନୀତି ୟୁରୋପୀୟ ମାନକ ପୂରଣ କରୁଛି। ଏହା ଆମକୁ ୟୁରୋପକୁ ସେବା ରପ୍ତାନି କରିବାର ସୁଯୋଗ ଦେଉଛି। ଏଭଳି ବହୁ ବିଷୟ ବିଚାରକୁ ନେବାକୁ ହେବ। କେବଳ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ଉପରେ ଧ୍ୟାନ ଦେଲେ ଚଳିବ ନାହିଁ। କେବଳ ମାନୁଫାକ୍‌ଚରିଂ ଓ କୃଷିକୁ ଅଧିକ ଗୁରୁତ୍ବ ନଦେଇ ସେବା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର