ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ପରିଚାଳନା ଲାଗି ଦରକାର ହେଉଥିବା ମେଡିକାଲ୍ ସାମଗ୍ରୀ ଉପରୁ ଟିକସ ଛାଡ଼ କରିବା ଭଳି କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆଜି ଜିଏସ୍ଟି ପରିଷଦ ୪୩ତମ ବୈଠକରେ ଗ୍ରହଣ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କୋଭିଡ୍ ରିଲିଫ୍ ସାମଗ୍ରୀର ଆମଦାନି ଉପରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମନ୍ବିତ ଜିଏସ୍ଟି (ଆଇଜିଏସ୍ଟି) ଛାଡ଼ କରାଯାଇଛି। ବ୍ଲାକ୍ ଫଙ୍ଗସ୍ର ବର୍ଦ୍ଧିତ ମାମଲାକୁ ନଜରରେ ରଖି ଏହାର ଔଷଧ ଆମ୍ଫୋଟେରିସିନ୍ ବି ଉପରୁ ଆଇଜିଏସ୍ଟି ଛାଡ଼ କରାଯାଇଛି। ଡାଏଥାଇଲ୍କାର୍ବାମାଜାଇନ୍ ଟାବ୍ଲେଟ୍ ଉପରୁ ଜିଏସ୍୍ଟିକୁ ୧୨%ରୁ ହ୍ରାସ କରି ୫% କରାଯାଇଛି। କେଉଁ ସବୁ ସାମଗ୍ରୀ ଉପରୁ ଟିକସ ଛାଡ଼ କିମ୍ବା ହ୍ରାସ କରାଯିବାର ଆବଶ୍ୟକତା ରହିଛି ତାହା ଜାଣିବା ଲାଗି ଆସନ୍ତାକାଲି ସୁଦ୍ଧା ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମନ୍ତ୍ରୀ ଗୋଷ୍ଠୀ ଜୁନ୍ ୮ରେ ଏହାର ରିପୋର୍ଟ ଦେବ।
ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଉଥିବା ସେବା ଯଥା ମଧ୍ୟାହ୍ନ ଭୋଜନ, ଓ ଅନ୍ୟାନ୍ୟ ସରକାରୀ ପ୍ରାୟୋଜିତ ସ୍କିମ୍ ଉପରୁ ଜିଏସ୍ଟି ଛାଡ଼ କରାଯାଇଛି। ସେହିପରି ଜାତୀୟ ପରୀକ୍ଷା ବୋର୍ଡ, କେନ୍ଦ୍ରୀୟ କିମ୍ବା ରାଜ୍ୟର ଶିକ୍ଷା ବୋର୍ଡର ପରୀକ୍ଷା ଲାଗି ଦିଆଯାଉଥିବା ଫି’ ଉପରୁ ମଧ୍ୟ ଟିକସ ଛାଡ଼ କରିବାକୁ ନିଷ୍ପତ୍ତି େହାଇଛି। ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଡେଭେଲପ୍ରମାନେ ଆପାର୍ଟମେଣ୍ଟ୍ ପାଇଁ କାର୍ଯ୍ୟ ଶେଷ ସାର୍ଟିଫିକେଟ୍ ଜାରି କରିବା ବେଳେ କିମ୍ବା ତା’ ପୂର୍ବରୁ ଜିଏସ୍ଟି ଦେଇପାରିବେ। ବିମାନ ଚଳାଚଳ କ୍ଷେତ୍ରର ଏମ୍ଆର୍ଓ ୟୁନିଟ୍ ଉପରୁ ଜିଏସ୍ଟିକୁ ୧୮%ରୁ ହ୍ରାସ କରି ୫% କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଲାଗି ଯଦି ଧାନ କିମ୍ବା ଚାଉଳ ଯୋଗାଣ କରାଯାଉଥିବା ତେବେ ସେଭଳି ମିଲ୍ଗୁଡ଼ିକ ପାଇଁ ଜିଏସ୍ଟି କୋହଳ କରାଯାଇଛି। ଇନଭର୍ସନ ଶୁଳ୍କ ଉପରେ ନିଷ୍ପତ୍ତି ନେବାର ଏହା ଉପଯୁକ୍ତ ସମୟ ନୁହେଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେଣୁ ତାହା ପୂର୍ବରୁ ଯାହା ଥିଲା ସେଇଆ ରହିବ। କ୍ଷୁଦ୍ର ଟିକସଦାତାମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ବିଳମ୍ବ ଫି' ହ୍ରାସ ନିମନ୍ତେ ସର୍ବକ୍ଷମା ସ୍କିମ୍ର ପ୍ରସ୍ତାବ ଦିଆଯାଇଛି। ୮୯% ଟିକସଦାତା ଏହି ସ୍କିମ୍ରେ ଅଂଶ ଗ୍ରହଣ କରି କମ୍ ବିଳମ୍ବ ଫି' ଦେଇ ବକେୟା ରିଟର୍ଣ୍ଣ ଫାଇଲ୍ କରିପାରିବେ। ବିଳମ୍ବ ଫି'ର ସର୍ବୋଚ୍ଚ ସୀମା ମଧ୍ୟ କୋହଳ କରାଯାଇଛି। ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର କାରବାର ଲାଗି ୨୦୨୦-୨୧ର ବାର୍ଷିକ ରିଟର୍ଣ୍ଣ ପଇଠ କ୍ଷୁଦ୍ର ଟିକସଦାତାଙ୍କ ଲାଗି ଇଚ୍ଛାଧୀନ ରହିବ। କିନ୍ତୁ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ଟିକସ ରିଟର୍ଣ୍ଣ ପଇଠ କରିବାକୁ ପଡ଼ିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତ୍ରୟମାସିକ ରିଟର୍ଣ୍ଣ ପଇଠ କରବା ଏବଂ ତ୍ରୟମାସିକ ପେମେଂଟ୍ର ସମ୍ଭାବନା ଉପରେ ବିଚାର କରିବା ଲାଗି ଆଇନ କମିଟି ଗଠନ କରାଯାଇଛି।
ଜିଏସ୍ଟି କ୍ଷତିପୂରଣକୁ ନେଇ ଏହା ନିଷ୍ପତ୍ତି ହୋଇଛି ଯେ ଗତବର୍ଷର ଫର୍ମୁଲାକୁ ଚଳିତ ବର୍ଷ ମଧ୍ୟ ବ୍ୟବହାର କରାଯିବ। କେନ୍ଦ୍ର ସରକାର ନିଜ ଆଡ଼ୁ ଋଣ କରି ରାଜ୍ୟଗୁଡ଼ିକ କ୍ଷତିପୂରଣ ରାଶି ଦେବେ। ଏଥର କେନ୍ଦ୍ର ସରକାର ୧.୫୮ ଲକ୍ଷ କୋଟି ଟଙ୍କାର ଋଣ କରିବେ ବୋଲି ଆକଳନ କରାଯାଇଛି। ଜିଏସ୍ଟି କ୍ଷତିପୂରଣ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବା ଲାଗି ଜୁଲାଇ ସୁଦ୍ଧା ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ରାଜ୍ୟଗୁଡ଼ିକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଫେବ୍ରୁଆରିରେ ଜିଏସ୍ଟି ପରିଷଦ ବୈଠକ ଆୟୋଜନ କରାଯିବାର ଥିଲା। ମାତ୍ର କେନ୍ଦ୍ର ବଜେଟ୍ ଓ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବୈଠକ ଆୟୋଜନ ହୋଇପାରିନଥିଲା।