ଅର୍ଥନୀତି ପାଇଁ ଆଶା : ଶିଳ୍ପ ଉତ୍ପାଦନ ବଢିଲା, ମୁଦ୍ରାସ୍ପୀତି କମିଲା

ନୂଆଦିଲ୍ଲୀ: ଜାନୁୟାରୀମାସରେ ଦେଶର ଶିଳ୍ପ ଉତ୍ପାଦନ ୭.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି । ମାନୁଫାକଚରିଂ କ୍ଷେତ୍ରର ଉତ୍ତମ ଅଭିବୃଦ୍ଧି ବଳରେ ସାମଗ୍ରୀକ ଭାବେ ଶିଳ୍ପ ଉତ୍ପାଦନ ବଢିଥିବା କେନ୍ଦ୍ରୀୟ ପରିସଂଖ୍ୟାନ ଅଫିସ ପକ୍ଷରୁ କୁହାଯାଇଛି । ଜାନୁୟାରୀରେ ଉତ୍ପାଦନ ଉଦ୍ୟୋଗ ବା ମାନୁଫାକଚରିଂ କ୍ଷେତ୍ରର ଅଭିବୃଦ୍ଧି ୮.୭ ପ୍ରତିଶତ ଥିଲା । ଶିଳ୍ପ ଉତ୍ପାଦନ ସୂଚକାଙ୍କ ବା ଆଇପିପି ଡିସେମ୍ବର ମାସରେ ୭.୧ ପ୍ରତିଶତ ଓ ନଭେମ୍ବର ମାସରେ ୮.୮ ପ୍ରତିଶତ ଥିଲା । ବିଦ୍ୟୁତ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ମଧ୍ୟ ଉତ୍ତମ ରହିଛି । ଜାନୁୟାରୀମାସରେ ଏଥିରେ ୭.୬ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା । ଶିଳ୍ପ ଉତ୍ପାଦନର ଉତ୍ତମ ଫଳାଫଳ ଯୋଗୁଁ ସାମଗ୍ରୀକ ଭାବେ ଚଳିତ ଆର୍ଥିକ ବର୍ଷର ୪ର୍ଥ ତିନିମାସ ( ଜାନୁୟାରୀ-ମାର୍ଚ୍ଚ ) ରେ ଆର୍ଥିକ ଅଭିବୃଦ୍ଧି ହାର ସୁଧୁରିବାର ଆଶା ସୃଷ୍ଟି ହୋଇଛି । ସେପ୍ଟେମ୍ବର-ଡିସେମ୍ବର ତିନିମାସରେ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ଥିଲା ।

ଅନ୍ୟପକ୍ଷରେ ଫେବ୍ରୁଆରୀ ମାସରେ ଦେଶର ମୁଦ୍ରାସ୍ପୀତି ହାର ୪.୪୪ ପ୍ରତିଶତକୁ ହ୍ରାସ ପାଇଛି । ଜାନୁୟାରୀ ମାସରେ ଏହା ୫.୦୭ ପ୍ରତିଶତ ଥିଲା । ତଥାପି ଏହା ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟ ୪ ପ୍ରତିଶତଠାରୁ ଅଧିକ ରହିଛି । ଗତ ନଭେମ୍ବର ମାସରେ ଦେଶର ମୁଦ୍ରାସ୍ପୀତି ହାର ସର୍ବାଧିକ ୮.୮ ପ୍ରତିଶତକୁ ଛୁଇଁଥିଲା ।

ସମ୍ବନ୍ଧିତ ଖବର