ଆଇଆଇଟି ହାଇଦ୍ରାବାଦ ଗସ୍ତ; ଭାରତକୁ ଶିଖରରେ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ରୋଡ୍‌ମ୍ୟାପ୍ : ଧର୍ମେନ୍ଦ୍ର

ଡିବିଟି ଜରିଆରେ ଶିକ୍ଷାନବୀସଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା

ହାଇଦ୍ରାବାଦ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ (ଏନ୍‌ଇପି) ବିଶ୍ୱର ପରିବର୍ତିତ ଦୃଶ୍ୟପଟ୍ଟରେ ଭାରତକୁ ଶିଖରରେ ରଖିବା ପାଇଁ ଏକ ରୋଡ୍‌ମ୍ୟାପ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଆଇଆଇଟି ହାଇଦ୍ରାବାଦଠାରେ ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସର ଉଦ୍‌ଘାଟନ ସହ ବିଭିଆର୍ ମୋହନ ରେଡ୍ଡୀ ନବସୃଜନ ଏବଂ ଉଦ୍ୟମିତା ସ୍କୁଲର ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରୀନ୍‌କୋ ସ୍କୁଲ୍ ଅଫ୍ ସଷ୍ଟେନେବଲ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ଆଇଆଇଟି ହାଇଦ୍ରାବାଦ୍ ଏବଂ ଗ୍ରୀନ୍‌କୋ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଥିଲା।

ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହି ସମୟରେ ଭାରତ କେବଳ ଏକ ଉପଭୋକ୍ତା ରାଷ୍ଟ୍ର ହୋଇ ରହିବ ନାହିଁ। ତେଣୁ ଆମକୁ ଆତ୍ମନିର୍ଭର ହେବା ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ନୂତନ ମଡ଼େଲ ଏବଂ ନବସୃଜନକୁ ଆପଣାଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନାକୁ ଆମକୁ ସାକାର କରିବାକୁ ହେବ। ଦକ୍ଷତା ବିକାଶ ଆଜୀବନ ପ୍ରକ୍ରିୟା ହୋଇଥିବାରୁ ଜାତୀୟ ଶିକ୍ଷାନୀତିରେ ଶିକ୍ଷା ସହ ଦକ୍ଷତା ବିକାଶକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଆଇଆଇଟି ହ୍ରାଇଦ୍ରାବାଦ ଭାରତକୁ ବୈଶ୍ୱିକ ବ୍ରାଣ୍ଡ୍ ଭାବରେ ସ୍ଥାପିତ କରିବା ସହ ଅମୃତ କାଳରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅନୁଷ୍ଠାନ ସମାଜର ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱ ସମସ୍ୟା ସମାଧାନରେ ନିଜର ଭୂମିକା ପ୍ରତିପାଦିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍‌ଡିଇ) ପକ୍ଷରୁ ଆଜି ଜାତୀୟ ଆପ୍ରେଣ୍ଟିସ୍‌ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍)ର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର ଅଂଶବିଶେଷ ଭାବେ ଏନ୍ଏପିଏସ୍ ସ୍କିମ୍ ମାଧ୍ୟମରେ ସବୁ ଆପ୍ରେଣ୍ଟିସ୍ ବା ବୃତ୍ତିଗତ ପ୍ରଶିକ୍ଷାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପୂର୍ବରୁ କମ୍ପାନିମାନେ ଆପ୍ରେଣ୍ଟିସ୍‌ମାନଙ୍କୁ ପାରିଶ୍ରମିକ ବାବଦ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଥିଲେ ଏବଂ ଏହାପରେ ସରକାରଙ୍କଠାରୁ ଆର୍ଥିକ ପରିଶୋଧ ଦାବି କରୁଥିଲେ। ଏବେ ଡିବିଟି ଯୋଜନା ଆରମ୍ଭ ହେବା ପରେ ସରକାର ଜାତୀୟ କୌଶଳ ବିକାଶ ନିଗମ (ଏନ୍ଏସ୍‌ଡିସି) ଜରିଆରେ ସିଧାସଳଖ ଆପ୍ରେଣ୍ଟିସ୍‌ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥରାଶି ହସ୍ତାନ୍ତର କରିବେ। ସେମାନଙ୍କୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଷ୍ଟାଇପେଣ୍ଡର ୨୫% ପ୍ରଦାନ କରାଯିବ।
ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସ୍‌ସିପ୍‌କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି। ଜାତୀୟ ଆପ୍ରେଣ୍ଟିସ୍‌ସିପ୍ ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ, ପ୍ରଥମ ପର୍ଯ୍ୟାୟରେ ଆପ୍ରେଣ୍ଟିସ୍‌ମାନଙ୍କୁ ଡିବିଟି ଜରିଆରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଷ୍ଟାଇପେଣ୍ଡ ବାବଦ ସବ୍‌ସିଡି ପଠାଯାଇଛି। ଏହା କେବଳ ବୃତ୍ତିଗତ ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେବ ନାହିଁ ବରଂ ସ୍କିଲ୍ ଇଣ୍ଡିଆର ବାସ୍ତବ ସମ୍ଭାବନାକୁ ସାକାର କରିବା ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଯୁବ ଭାରତକୁ ସ୍କିଲ୍ (କୁଶଳୀ), ରିସ୍କିଲ୍ (ପୁନଃକୁଶଳୀ) ଏବଂ ଅପ୍‌ସ୍କିଲ (ଅତିକୁଶଳୀ) କରିବା ଲାଗି, ମୁଣ୍ଡପିଛା ଆର୍ଥିକ ଉତ୍ପାଦନ ବଢ଼ାଇବା ଏବଂ ଜାତୀୟ ମିଶନକୁ ସହାୟତା ଯୋଗାଇ ଦେବା ନିମନ୍ତେ ଆପ୍ରେଣ୍ଟିସ୍‌ସିପ୍‌କୁଏକ ଜନଭାଗୀଦାରୀ ଆନ୍ଦୋଳନରେ ପରିଣତ କରିବା ଜରୁରୀ। ଦକ୍ଷତା ବିକାଶର ଏଭଳି ଦୀର୍ଘସ୍ଥାୟୀ ମଡେଲ ଜରିଆରେ ଯୁବବର୍ଗଙ୍କ ରୋଜଗାର କ୍ଷମତା ବଢ଼ାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ଏମ୍ଏସ୍‌ଡିଇ ଲକ୍ଷ୍ୟ ରଖିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର