ସମ୍ପତ୍ତି ବିକି ଋଣ ଶୁଝିବ ଆଇଏଲ୍ ଆଣ୍ଡ ଏଫ୍‌ଏସ୍

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ପଡ଼ିଥିବା ଆଇଏଲ୍ ଆଣ୍ଡ୍ ଏଫ୍‌ଏସ୍‌ର ସମ୍ପତ୍ତି ବିକ୍ରି ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ନିଲାମ ଆସନ୍ତାକାଲି ଗ୍ରହଣ କରିବ। ମିଳିଥିବା ସୂଚନା ଅନୁଯାୟୀ, କମ୍ପାନିର ୮୦୦୦ କୋଟି ଟଙ୍କାର ନବୀକରଣ ଶକ୍ତି ବ୍ୟବସାୟ ପାଇଁ ଡକା ଯାଇଥିବା ନିଲାମ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଦେଶକ ମଣ୍ଡଳୀ ବିଚାର କରିବ। ସରକାରଙ୍କ ପକ୍ଷରୁ ଉଦୟ କୋଟାକଙ୍କ ଅଧ୍ୟକ୍ଷତାରେ କମ୍ପାନିର ନୂଆ ନିର୍ଦ୍ଦେଶକ ମଣ୍ଡଳୀ ଗଠିତ ହୋଇଛି। ଏହି ନିର୍ଦ୍ଦେଶକ ମଣ୍ଡଳୀ କମ୍ପାନିର ସମ୍ପତ୍ତିକୁ ବିକ୍ରି କରି ସ୍ଥିତିରେ ସୁଧାର ଆଣିବା ଲାଗି ପ୍ରୟାସ ଚଳାଇଛି। ଏହି ପ୍ରୟାସ ଅଧୀନରେ ହୋଇଥିବା ପ୍ରଥମ ନିଲାମ ସୋମବାର କମ୍ପାନି ଗ୍ରହଣ କରିବ। ଆଇଏଲ୍‌ ଆଣ୍ଡ୍ ଏଫ୍‌ଏସ୍‌ ଉପରେ ଏବେ ୯୪ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଗତବର୍ଷ ନଭେମ୍ବରରେ କମ୍ପାନି ଏହାର ମନିଟାଇଜେସନ (ସମ୍ପତ୍ତି ବିକି ଅର୍ଥ ସଂଗ୍ରହ) ଯୋଜନାରେ ସଡ଼କ, ଶିକ୍ଷା, ନବୀକରଣ ବା ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ କରିଥିବା ନିବେଶକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା। ଉଲ୍ଲେଖଯୋଗ୍ୟ, ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଯୋଗୁ ଦେଶରେ ଥିବା ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନବିଏଫ୍‌ସି)ରେ ଥିବା ସଙ୍କଟ ସାମ୍ନାକୁ ଆସିଥିଲା। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ପାଇଁ ଏହି ସଙ୍କଟ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।

ସମ୍ବନ୍ଧିତ ଖବର