ନୂଆଦିଲ୍ଲୀ: ବେଆଇନ ଋଣ ଆପ୍‌ କବଳରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍‌ଲାଇନ୍‌ରେ ସେଭଳି ଆପ୍‌ର ବିଜ୍ଞାପନକୁ ସରକାର ନିଷିଦ୍ଧ କରିଛନ୍ତି। ଲୋକମାନଙ୍କୁ ବିଭ୍ରାନ୍ତ ଓ ଶୋଷଣ କରୁଥିବା କୌଣସି ବେଆଇନ ଋଣ ଆପ୍‌ର ବିଜ୍ଞାପନକୁ ଅନ୍‌ଲାଇନ୍ ପୋର୍ଟାଲ୍‌ଗୁଡ଼ିକ ପ୍ରକାଶ କରିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ ଭା‌ଷାରେ ଜଣାଇଛନ୍ତି। ଯେହେତୁ ଅନଲାଇନ୍‌ରେ ଅଧିକାଂଶ ଲୋକ ସକ୍ରିୟ ରହୁଛନ୍ତି ସେଥିପାଇଁ ଲୋକମାନଙ୍କୁ ଧ୍ୟାନ ଆକର୍ଷଣ କରିବା ଲାଗି ବେଆଇନ ଋଣ ଆପ୍‌ଗୁଡ଼ିକ ମନଲୋଭା ବିଜ୍ଞାପନ ଅନ୍‌ଲାଇନ୍‌ରେ ଦେଉଛନ୍ତି। ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା କୌଣସି ବେଆଇନ୍‌ ଋଣ ଆପ୍ ବିଜ୍ଞାପନକୁ ପୋର୍ଟାଲ୍‌ଗୁଡ଼ିକ ନେଇପାରିବେ ନାହିଁ।