ୱାସିଂଟନ: ବିଶ୍ବରେ ସଂପ୍ରତି ଡଲାର ମୂଲ୍ୟ ବଢ଼ିବାରେ ଲାଗିଛି। ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାରର ବିନିମୟ ମୂଲ୍ୟ ଗତ ୨୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ରହିଛି। ଏଥିସହିତ ବିଭିନ୍ନ ଦେଶରେ ମୁଦ୍ରାସ୍ଫୀତି ମଧ୍ୟ ଉଚ୍ଚସ୍ତରରେ ରହିଛି। ତେଣୁ ଆଗାମୀ ଦିନରେ ଅର୍ଥନୀତିଗୁଡ଼ିକ ପାଇଁ ଆହୁରି ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ। ଏଭଳି ସ୍ଥିତିରେ ଭବିଷ୍ୟତ ପରିସ୍ଥିତିର ମୁକାବିଲା କରିବା ଲାଗି ମୂଲ୍ୟବାନ ବିଦେଶୀ ମୁଦ୍ରାକୁ ସାଇତି ରଖିବାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ର ଡେପୁଟି ଏମ୍‌ଡି ଗୀତା ଗୋପୀନାଥ ଏବଂ ମୁଖ୍ୟ ଅର୍ଥନୀତିଜ୍ଞ ପିଏରି ଓଲିଭର ଗୌରିନଚାସ ସେମାନଙ୍କ ବ୍ଲଗ୍‌ରେ ଲେଖିଛନ୍ତି।

Advertisment

ଯଦିଓ ନିକଟ ଅତୀତରେ ବିଶ୍ବର ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରଗୁଡ଼ିକ ଅଧିକ ମାତ୍ରାରେ ଡଲାର ମହଜୁଦ କରି ରଖିପାରିଛନ୍ତି ତଥାପି ଅତୀତର ସଂକଟ ଉପରେ ନଜର ପକାଇଲେ ଜାଣିବାକୁ ମିଳେ ଏହି ପରିମାଣ ସେତେଟା ଅଧିକ ନୁହେଁ। ତେଣୁ ଏହାର ବ୍ୟୟ ଅତ୍ୟନ୍ତ ବିଜ୍ଞଭାବେ ହେବା ଆବଶ୍ୟକ। ଭବିଷ୍ୟତ ସମସ୍ୟାର ମୁକାବିଲା ପାଇଁ ଦେଶଗୁଡ଼ିକ ସେମାନଙ୍କ ମୂଲ୍ୟବାନ ବିଦେଶୀ ମୁଦ୍ରାକୁ ସାଇତି ରଖିବା ଉଚିତ। ଆଗାମୀ ଦିନରେ ଅଧିକରୁ ଅଧିକ ମାତ୍ରାରେ ବିଦେଶୀ ମୁଦ୍ରା ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ଛାଡ଼ିବାକୁ ପଡ଼ିପାରେ। ଏଥିସହିତ ଭବିଷ୍ୟତରେ ଆହୁରି ଅନିଶ୍ଚିତ ପରିସ୍ଥିତିକୁ ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ। ଏଥିସହିତ ଯେଉଁ ଦେଶମା‌ନେ ପାରିବେ ସେମାନେ ବିକଶିତ ଦେଶଗୁଡ଼ିକ ସହିତ ମୁଦ୍ରା ଅଦଳବଦଳ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଉଚିତ।

ଉଲ୍ଲେଖଯୋଗ୍ୟ, ୨୦୨୨ ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ଡଲାର ମୂଲ୍ୟ ୟେନ ତୁଳନାରେ ୨୨ ପ୍ରତିଶତ, ୟୁରୋ ତୁଳନାରେ ୧୩ ପ୍ରତିଶତ ଏବଂ ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ଦେଶଗୁଡ଼ିକର ମୁଦ୍ରା ତୁଳନାରେ ୬ ପ୍ରତିଶତ ବୃଦ୍ଧି ଘଟିଛି। ଭାରତୀୟ ମୁଦ୍ରା ମଧ୍ୟ ଏହାଦ୍ବାରା ବିଶେଷଭାବେ ପ୍ରଭାବିତ ହୋଇଛି। ଶୁକ୍ରବାର ୧ ଡଲାର କିଣିବା ପାଇଁ ଭାରତକୁ ୮୨ ଟଙ୍କା ୧୯ ପଇସା ଖର୍ଚ୍ଚ କରିବାକୁ ପଡ଼ିଛି। ତେଣୁ ଆମଦାନି ଉପରେ ଅଧିକ ନିର୍ଭରଶୀଳ ଦେଶଗୁଡ଼ିକ ପାଇଁ ଚିନ୍ତା ବଢ଼ିଯାଇଛି। ଡଲାରରେ ସେମାନଙ୍କୁ ଆମଦାନି କରିବାକୁ ପଡ଼ୁଛି। ତେଣୁ ସେମାନଙ୍କ ଆମଦାନି ବିଲ୍ ବଢ଼ିଯାଉଛି। ଏଥିଯୋଗୁ କେବଳ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଘଟୁନାହିଁ ଚଳନ୍ତି ଖାତା ନିଅଣ୍ଟ ରାଶି ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ମୁଦ୍ରା ମୂଲ୍ୟରେ ବଡ଼ ଧରଣର ପରିବର୍ତ୍ତନର ମୁକାବିଲା କିମ୍ବା ଦରଦାମ ନିୟନ୍ତ୍ରଣ ରଖିବାରେ କେନ୍ଦ୍ରୀୟ ବ୍ୟାଙ୍କର କ୍ଷମତାକୁ ବ୍ୟାଘାତ ପହଞ୍ଚିଲେ ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ ରହିଥାଏ। ତେଣୁ ଅସ୍ଥାୟୀ ଭାବେ ମୁଦ୍ରାଭଣ୍ଡାରରେ ହସ୍ତକ୍ଷେପ କରାଯିବାର ଆବଶ୍ୟକତା ରହିଛି। କେତେକ କ୍ଷେତ୍ରରେ ବିଦେଶୀ ମୁଦ୍ରାଭଣ୍ଡାରରେ ସାମୟିକ ହସ୍ତକ୍ଷେପକୁ ଉପଯୁକ୍ତ ବୋଲି ଏମାନେ ଦର୍ଶାଇଛନ୍ତି।