ନୂଆଦିଲ୍ଲୀ: ଭାରତ ୪.୩ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ୨୦୧୫ରୁ ୨୦୨୫ ମଧ୍ୟରେ ଅର୍ଥନୀତିର ଆକାର ବଢ଼ାଇବା ହାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ଭଳି ଶକ୍ତିଶାଳୀ ଦେଶଗୁଡ଼ିକୁ ଭାରତ ପଛରେ ପକାଇ ଦେଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ତଥ୍ୟକୁ ଆଧାର କରି ନିତି ଆୟୋଗ ଏହି ସୂଚନା ଦେଇଛି। ବିଶ୍ବର ଶ୍ରେଷ୍ଠ ଅର୍ଥନୈତିକ ମହାଶକ୍ତି ମଧ୍ୟରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ୨୦୧୫ରେ ଏହାର ଚେନ୍ଡ ରିଅଲ୍ ଜିଡିପି (ଶୃଙ୍ଖଳ ବାସ୍ତବ ଜିଡିପି) ପରିମାଣ ଥିଲା ୨.୪ ଟ୍ରିଲିଅନ୍ ଡଲାର। ୨୦୨୫ରେ ତାହା ୪.୩ ଟ୍ରିଲିଅନ୍ ଡଲାରକୁ ବୃଦ୍ଧି ପାଇଛି। ଏହି ସମୟରେ ଭାରତ ଜିଡିପିରେ ୭୭ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ଆମେରିକା ହାସଲ କରିଥିବା ୨୮ ପ୍ରତିଶତ ଓ ଚୀନ୍ର ୭୭ ପ୍ରତିଶତ ବୃଦ୍ଧି ତୁଳନାରେ ଅଧିକ। ଚେନ୍ଡ ରିଅଲ୍ ଜିଡିପି ହେଉଛି ଅର୍ଥନୀତିକୁ ମାପିବାର ଏକ ମାପକ, ଯେଉଁଥିରେ ମୁଦ୍ରାସ୍ଫୀତିରେ ହୋଇଥିବା ପରିବର୍ତ୍ତନ ଅନୁସାରେ ହିସାବ କରାଯାଏ ଏବଂ ସେହି ତଥ୍ୟକୁ ଏକ ନିର୍ଦ୍ଦିଷ୍ଟ ବର୍ଷର ତଥ୍ୟ ସହିତ ତୁଳନା କରାଯାଇଥାଏ।
ଆଇଏମ୍ଏଫ୍ ତଥ୍ୟ ଅନୁସାରେ, ୧୦ ବର୍ଷ ଅବଧିରେ ଆମେରିକାର ଅର୍ଥନୀତି ୨୩.୭ ଟ୍ରିଲିଅନ୍ ଡଲାରରୁ ବୃଦ୍ଧି ପାଇ ୩୦.୩ ଟ୍ରିଲିଅନ୍ ଡଲାର ହୋଇଛି। ଆମେରିକା ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟରେ ଥିବା ଚୀନ୍ର ଜିଡିପି ଏହି ସମୟରେ ୧୧.୨ ଟ୍ରିଲିଅନ୍ ଡଲାରରୁ ବୃଦ୍ଧି ପାଇ ୧୯.୫ ଟ୍ରିଲିଅନ୍ ଡଲାର ହୋଇଛି। ଜର୍ମାନୀର ଜିଡିପି ୪.୫ ଟ୍ରିଲିଅନ୍ ଡଲାରରୁ ବୃଦ୍ଧି ପାଇ ୪.୯ ଟ୍ରିଲିଅନ୍ ଡଲାର ହୋଇଛି। ଜାପାନର ଅର୍ଥନୀତି ୪.୧ ଟ୍ରିଲିଅନ୍ ଡଲାରରୁ ବୃଦ୍ଧି ପାଇ ୪.୪ ଟ୍ରିଲିଅନ୍ ଡଲାର ହୋଇଛି। ଅର୍ଥନୈତିକ ମହାଶକ୍ତି ଭାବେ କ୍ରମାନ୍ବୟରେ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଆମେରିକା, ଚୀନ୍, ଜର୍ମାନୀ, ଜାପାନ, ଭାରତ, ବ୍ରିଟେନ୍, ଫ୍ରାନ୍ସ, ଇଟାଲି, କାନାଡା, ବ୍ରାଜିଲ୍, ରୁଷ୍, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସ୍ପେନ୍, ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ନେଦରଲ୍ୟାଣ୍ଡ୍ସ, ସାଉଦିଆରବ ଓ ସ୍ବିଜରଲ୍ୟାଣ୍ଡ୍ ନାମ ରହିଛି।