ଭାରତୀୟ ଅର୍ଥନୀତି ଉପରେ କରୋନା ମାଡ଼, ଅଭିବୃଦ୍ଧି ୯.୫% କୁ ଖସିବ : ଆଇଏମଏଫ୍

ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ଲହର ଭାରତର ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିଛି ।  ଫଳରେ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୯.୫ ପ୍ରତିଶତକୁ କମି ଆସିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି କହିଛି ।

ଆଇଏମଏଫର ଜୁଲାଇ ବିଶ୍ବ ଅର୍ଥନୈତିକ ପ୍ରେକ୍ଷାପଟ୍ଟ ରିପୋର୍ଟରେ ଭାରତର ଅର୍ଥନୀତି ୯.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି କୁହାଯାଇଛି । ଏହା ଗତ ଏପ୍ରିଲରେ ଆଇଏମଏଫ କରିଥିବା ପୂର୍ବାନୁମାନଠାରୁ ୩୦୦ ବେସିସ ପଏଣ୍ଟ ବା ୩ ପ୍ରତିଶତ କମ । ରିପୋର୍ଟରେ କୁହାଯାଇଛି ଯେ କରୋନାର ୨ୟ ଲହର ଯୋଗୁଁ ଭାରତୀୟ ଅର୍ଥନୀତିର ସୁଧାର ପ୍ରକ୍ରିୟା ଗୁରୁତରଭାବେ ପ୍ରଭାବିତ ହୋଇଛି । ୨୦୨୦-୨୧ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଥିଲା ।

ଅନ୍ୟପକ୍ଷରେ ଆଇଏମଏଫ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନକୁ ୬ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ୨୦୨୦ରେ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧି ୩.୨ ପ୍ରତିଶତ ଧୀମା ହୋଇଥିଲା  ।

ରିପୋର୍ଟରେ ସତର୍କ କରିଦିଆଯାଇଛି ଯେ ଟିକା ଉପଲବ୍ଧତାକୁ ନେଇ ବିଶ୍ବର ବିକଶିତ ଓ ବିକାଶଶୀଳ ତଥା ଅନୁନ୍ନତ ଦେଶଙ୍କ ମଧ୍ୟରେ ତାରତମ୍ୟ ବଢୁଛି । ଅର୍ଥାତ ଉନ୍ନତ ଦେଶରେ ଟିକା ଉପଲବ୍ଧତା ଥିବାରୁ ସେଠାକାର ଅଭିବୃଦ୍ଧି ଦ୍ରୁତ ରହିବ । କିନ୍ତୁ ବିକାଶଶୀଳ ତଥା ଅନୁନ୍ନତ  ଦେଶମାନେ ଟିକା ଅଭାବ ସମ୍ମୁଖୀନ ହେଉଥିବାରୁ ସେଠାରେ ସଂକ୍ରମଣ ବଢିବ ଓ ଅଭିବୃଦ୍ଧି ଧୀମା ରହିବ ।

ସମ୍ବନ୍ଧିତ ଖବର