ଆଇଏମ୍‌ଏଫ୍‌ ଅର୍ଥନୀତିଜ୍ଞଙ୍କ ପରାମର୍ଶ, ଭାରତକୁ ଆହୁରି ପ୍ୟାକେଜ୍‌ ଲୋଡ଼ା

ୱାସିଂଟନ: ଚଳିତ ଆର୍ଥିକ ବର୍ଷରେ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିବ ବୋଲି କିଛିଦିନ ତଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ଆକଳନ କରାଯାଇଛି। ପୂର୍ବ ଆକଳନ ତୁଳନାରେ ଏହା ଅଧିକ। ତେବେ ୨୦୨୦ରେ କୋଭିଡ୍‌-୧୯ କାରଣରୁ ଭାରତୀୟ ଅର୍ଥନୀତିକୁ ଯେଉଁ କ୍ଷତି ହୋଇଛି ତାହାର ଭରଣା କରିବାକୁ ହେଲେ ଅର୍ଥନୀତିକୁ ଅଧିକ ବେଗରେ ଆଗକୁ ବଢ଼ିବାକୁ ହେବ। ଆଇଏମ୍‌ଏଫ୍‌ର ଉପମୁଖ୍ୟ ଅର୍ଥନୀତିଜ୍ଞ ପେଟ୍ୟା କୋଏଭା ବ୍ରୁକ୍ସ୍‌ ମତ ଦେଇଛନ୍ତି।

ଏକ ସାକ୍ଷାତ୍‌କାରରେ ବ୍ରୁକ୍ସ ଭାରତ ପାଇଁ ଅତିରିକ୍ତ ଅର୍ଥନୈତିକ ପ୍ୟାକେଜର ଆବଶ୍ୟକତା ରହିଥିବା ନେଇ ଦୃଢ଼ ‌ମତ ରଖିଛନ୍ତି। ଦେଶର ଅର୍ଥନୀତି ଉପରେ କରୋନା ପକାଇଥିବା ପ୍ରଭାବକୁ ପ୍ରତିହତ କରିବା ଲାଗି ଏଭଳି ଅଧିକ ପ୍ୟାକେଜ୍ ଲୋଡ଼ା ବୋଲି ସେ ମତ ଦେଇଛନ୍ତି। କୋଭିଡ୍‌-୧୯ ପାଇଁ ଗତ ଆର୍ଥିକ ବର୍ଷରେ ଭାରତରେ ଉତ୍ପାଦନ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷରେ ଅର୍ଥନୀତିରେ ୧୨.୫ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି। ଏହା ତାଙ୍କୁ ଖୁସି ଦେଇଛି। କିନ୍ତୁ କରୋନାର ନୂଆ ସଂକ୍ରମଣ ଯୋଗୁ ସ୍ଥାନୀୟ ଭାବରେ ଲକ୍‌ଡାଉନ୍‌ ଲାଗୁ କରାଯାଉଛି। ଅର୍ଥନୀତିରେ ସୁଧାର କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ଭାରତ ସଂପର୍କରେ ସେ ଏହା ମଧ୍ୟ କହିଛନ୍ତି ଯେ କୋଭିଡ୍‌-୧୯ ସମସ୍ୟାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ ସମନ୍ବୟ ରଖାଯାଇ କାର୍ଯ୍ୟ କରାଯାଇଛି। ବିତ୍ତୀୟ ସହାୟତା ସରକାର ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କୋହଳ ମୁଦ୍ରାନୀତି ଗ୍ରହଣ କରାଯାଇଛି। ଅର୍ଥନୀତିରେ ନଗଦ ଅର୍ଥର ଉପଲବ୍ଧତାକୁ ମଧ୍ୟ ବଢ଼ାଯାଇଛି। ଏଥିସହିତ ନିୟାମକ ସଂସ୍ଥା ପକ୍ଷରୁ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନିଆଯାଇଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ ପ୍ରତିଷ୍ଠାନ ସହିତ ଗରିବ ଲୋକଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବଜେଟ୍‌ରେ କୋଭିଡ-୧୯ ପ୍ରଭାବର ମୁକାବିଲା ପାଇଁ ଘୋଷଣା ହୋଇଥିବା ପଦକ୍ଷେପକୁ ସେ ସ୍ବାଗତ କରିଛନ୍ତି। ଏସବୁ ପଦକ୍ଷେପର ଅନୁକୂଳ ପ୍ରଭାବ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିବ। ବଜେଟ୍‌ରେ ଘୋଷଣା କରାଯାଇଥିବା କେତେକ ପଦକ୍ଷେପ ମଧ୍ୟ ଆଇଏମ୍‌ଏଫ୍‌ର ପରାମର୍ଶ ଧାରାରେ ହୋଇଛି। ଏଥିରେ ପ୍ରମୁଖ ହେଉଛି କେନ୍ଦ୍ର ସରକାର ବିତ୍ତୀୟ ପ୍ୟାକେଜକୁ ପ୍ରତ୍ୟାହାର କରିବେ ନାହିଁ।

ଏଥିସହିତ ରାଜ୍ୟ ସରକାରମାନଙ୍କୁ ବଜେଟ୍‌ରେ ଖର୍ଚ୍ଚ ସୀମାକୁ ସାମୟିକ ଭାବେ ବଢ଼ାଇ ପାରିବେ। ଏହାସତ୍ତ୍ବେ ଅତିରିକ୍ତ ଆର୍ଥିକ ପ୍ୟାକେଜ ସପକ୍ଷେରେ ସେ ମତ ରଖିଛନ୍ତି। ଅତିରିକ୍ତ ପ୍ୟାକେଜ ସହାୟକ ହେବ। ସବୁଠୁ ଗରିବ ବର୍ଗର ଲୋକଙ୍କୁ ପୁନର୍ବାର ସହାୟତାର ଅନେକ କିଛି ଅର୍ଥ ରହିଛି। କିଛି ଆୟ ଉପାର୍ଜନକାରୀ ଯୋଜନା ନଭେମ୍ବର ପରେ ବନ୍ଦ କରି ଦିଆଯାଇଛି । ଏଥିପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର