ୱାସିଂଟନ: କରୋନା ମହାମାରୀ ପାଇଁ ଧରାଶାୟୀ ହୋଇଥିବା ବିଶ୍ବ ଅର୍ଥନୀତିର ସ୍ଥିତିରେ ୨୦୨୧ରେ କିଛିଟା ସୁଧାର ଆସିଥିଲା। କିନ୍ତୁ ଦରଦାମ ବୃଦ୍ଧି ସହିତ ଚୀନରେ ମାନ୍ଦାବସ୍ଥା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ବ ଅର୍ଥନୀତି ପୁଣି ମାଡ଼ ଖାଇବ। ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ଏହା ଫଳରେ କମିଯିବ। ଭାରତ ବି ଏଥିରୁ ବର୍ତ୍ତିବ ନାହିଁ। ୱାସିଂଟନସ୍ଥିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଆଜି କରିଥିବା ଆକଳନରେ ଏହା ଦର୍ଶାଇଛି। ବିଶ୍ବରେ ଦେଖାଦେଇଥିବା ଦରଦାମ୍ ସ୍ଥିତିକୁ ନେଇ ଆଇଏମ୍ଏଫ୍ ଗଭୀର ଚିନ୍ତା ପ୍ରକଟ କରିଛି। ଏହା ଅର୍ଥନୀତି ପାଇଁ ସବୁଠୁ ବଡ଼ ବିପଦ ବୋଲି କୁହାଯାଇଛି।

Advertisment

ଗତ ଏପ୍ରିଲରେ ଆଇଏମ୍‌ଏଫ୍‌ ବିଶ୍ବ ଅର୍ଥନୀତିର ଦୃଶ୍ୟପଟ ସଂପର୍କରେ ଯେଉଁ ଆକଳନ କରିଥିଲା ତାହା ତୁଳନାରେ ଆଜିର ଆକଳନ ଆହୁରି ନିରାଶାଜନକ ରହିଛି। ବିଶ୍ବର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୨୦୨୨ରେ ୩.୨ ପ୍ରତିଶତ ରହିବ। ୨୦୨୩ରେ ଏହା ଆହୁରି ୦.୩ ପ୍ରତିଶତ କମି ୨.୯ ପ୍ରତିଶତ ରହିବ। ଗତ ଏପ୍ରିଲରେ ଆଇଏମ୍‌ଏଫ୍‌ ଏହାର ପୂର୍ବାନୁମାନରେ ବିଶ୍ବ ଅର୍ଥନୀତି ସଂପର୍କରେ ଯେଉଁ ଅଭିବୃଦ୍ଧି ଚିତ୍ର ଆଙ୍କିଥିଲା ଆଜିର ପୂର୍ବାନୁମାନରେ ସେଥିରେ ଯଥାକ୍ରମେ ୦.୪ ପ୍ରତିଶତ ଏବଂ ୦.୭ ପ୍ରତିଶତ କମାଇଛି। ବିଶ୍ବର ଅର୍ଥନୈତିକ ଦୃଶ୍ୟପଟ ନିରାଶାଜନକ ଏବଂ ଅଧିକ ଅନିଶ୍ଚିତ ରହିଛି ବୋଲି ଉକ୍ତ ସଂସ୍ଥା କହିଛି।

ବିଶ୍ବର ଅର୍ଥନୀତିରେ ଯେଉଁ ଖରାପ ସ୍ଥିତି ଦେଖାଦେଇଛି ସେଥିରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଏବଂ ଭାରତର ନିମ୍ନମୁଖୀ ଅଭିବୃଦ୍ଧି ପ୍ରମୁଖ ଭୂମିକା ଗ୍ରହଣ କରିବ। ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପି ଅଭିବୃଦ୍ଧି ୨୦୨୨ରେ ୨.୩ ପ୍ରତିଶତକୁ ଏବଂ ୨୦୨୩ରେ ୧ ପ୍ରତିଶତକୁ ଖସିଯିବ। ପୂର୍ବ ଆକଳନ ତୁଳନାରେ ଏହା ଯଥାକ୍ରମେ ୧.୪ ପ୍ରତିଶତ ଏବଂ ୧.୩୦ ପ୍ରତିଶତ କମ। ୟୁରୋ ଅଞ୍ଚଳର ଅଭିବୃଦ୍ଧି ମଧ୍ୟ ୨୦୨୨ରେ ୨.୬ ପ୍ରତିଶତକୁ ଏବଂ ୨୦୨୩ରେ ୧.୨ ପ୍ରତିଶତକୁ କମିବ। ସେହିଭଳି ଜାପାନର ଅଭିବୃଦ୍ଧି ଉକ୍ତ ଦୁଇ ବର୍ଷରେ ୧.୭ ପ୍ରତିଶତ ସ୍ତରକୁ ହ୍ରାସ ପାଇବ। ବ୍ରିଟେନର ଅଭିବୃଦ୍ଧି ୩.୨ ପ୍ରତିଶତ ଏବଂ ୦.୫କୁ କମିବ। ଚୀନର ଅଭିବୃଦ୍ଧି ଯଥାକ୍ରମେ ୩.୩ ପ୍ରତିଶତ ଏବଂ ୪.୬ ପ୍ରତିଶତ ରହିବା ନେଇ ଆକଳନ ହୋଇଥିବାବେଳେ ରୁଷ୍‌ର ଅଭିବୃଦ୍ଧି ଯଥାକ୍ରମେ ବିଯୁକ୍ତ ୦.୬ ପ୍ରତିଶତ ଏବଂ ବିଯୁକ୍ତ ୩.୫ ପ୍ରତିଶତ ରହିବ। ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲର ଅଭିବୃଦ୍ଧି ୨୦୨୨ରେ ୧.୭ ପ୍ରତିଶତ ଏବଂ ୨୦୨୩ରେ ୧.୧ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ର ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।

ଭାରତର ଅଭିବୃଦ୍ଧି ପୂର୍ବ ଆକଳନ ତୁଳନାରେ ୦.୮ ପ୍ରତିଶତ ହ୍ରାସ କରାଯାଇଛି। ଅର୍ଥାତ ୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ପରିବର୍ତ୍ତେ ୭.୪ ପ୍ରତିଶତ ରହିବ ବୋଲି ଦର୍ଶାଯାଇଛି। ୨୦୨୩ରେ ବି ଭାରତର ଅଭିବୃଦ୍ଧି ୬.୧ ପ୍ରତିଶତକୁ କମିଯିବ। ଏହାର କାରଣ ହେଲା ଅନ୍ତର୍ଜାତୀୟ ବଜାର ସ୍ଥିତି ସେତେଟା ଅନୁକୂଳ ନାହିଁ। ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗାମୀ ଦିନରେ ଦରଦାମ ନିୟନ୍ତ୍ରଣ ପାଇଁ ସୁଧ ହାର ଅଧିକ ବେଗରେ ବୃଦ୍ଧି କରିବା ସମ୍ଭାବନା ରହିଛି। ଏହା ସତ୍ତ୍ବେ ଭାରତ ବିଶ୍ବର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ର ରହିବ ବୋଲି କୁହାଯାଇଛି।