ନୂଆଦିଲ୍ଲୀ: ଦ୍ରୁତବେଗରେ ଆଗକୁ ବଢ଼ୁଥିବା ଅର୍ଥନୀତିଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ବ୍ରିଟେନ ଅର୍ଥନୀତିକୁ ଭାରତ ସଂପ୍ରତି ଟପି ବିଶ୍ବରେ ପଞ୍ଚମ ସ୍ଥାନରେ ରହିଛି। ଚଳିତ ଆର୍ଥିକବର୍ଷରେ ଭାରତ ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ହେବାର ଆଶା କରାଯାଉଛି। ୨୦୨୪-୨୫ରେ ଭାରତ ଏହି ସ୍ଥାନ ହାସଲ କରିପାରେ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ କରିଛି। ଆସନ୍ତା ଆର୍ଥିକବର୍ଷରେ ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ୪୩୪୦ ବିଲିଅନ ଡଲାରରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବଭଳି ପ୍ରଥମ ସ୍ଥାନରେ ରହିବ। ୨୦୨୪-୨୫ରେ ବିଶ୍ବର ଏହି ସର୍ବବୃହତ୍‌ ଅର୍ଥନୀତିର ଆକାର ୨୯,୮୪୦ ବିଲିଅନ ଡଲାର ରହିବ ବୋଲି ଆକଳନ କରାଯାଇଛି। ଆମେରିକା ପଛକୁ ଦ୍ବିତୀୟ ସ୍ଥାନରେ ଚୀନ ରହିଛି। 

Advertisment

ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ସତ୍ତ୍ବେ ଚୀନର ଜିଡିପି ୨୦୨୪-୨୫ରେ ୧୯,୭୯୦ ବିଲିଅନ ଡଲାର ନେଇ ଆକଳନ କରାଯାଇଛି। ନିକଟରେ ମାନ୍ଦାବସ୍ଥାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜର୍ମାନୀ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ହେବ। ଏହାର ଅର୍ଥନୀତି ଆକାର ୨୦୨୪-୨୫ରେ ୪୫୯୧ ବିଲିଅନ ଡଲାର ରହିବା ନେଇ ହିସାବ କରାଯାଇଛି। ପଞ୍ଚମ ସ୍ଥାନରେ ଜାପାନ ରହିବ। ଜାପାନ ଅର୍ଥନୀତିର ଆକାର ୨୦୨୪-୨୫ରେ ୪୩୧୦ ବିଲିଅନ ଡଲାର ରହିବ ବୋଲି ଦର୍ଶାଯାଇଛି। ଭାରତ ଏବଂ ଜାପାନ ପଛକୁ ବ୍ରିଟେନର ଅର୍ଥନୀତି ଷଷ୍ଠ ସ୍ଥାନରେ ରହିବ। ବିଟ୍ରେନ ଅର୍ଥନୀତିର ଜିଡିପି ୩୬୮୫ ବିଲିଅନ ଡଲାର ରହିବା ନେଇ ଆଇଏମ୍‌ଏଫ୍‌ ଆକଳନ କରିଛି। ସେହିଭଳି ସପ୍ତମ ସ୍ଥାନରେ ଫ୍ରାନ୍ସ ରହିବ। ଏହି ଦେଶର ଜିଡିପି ୩୨୨୩ ବିଲିଅନ ଡଲାର ରହିବ ବୋଲି ଦର୍ଶାଯାଇଛି। ଅଷ୍ଟମ ସ୍ଥାନରେ ବ୍ରାଜିଲ ରହିବ। ବର୍ତ୍ତମାନ ବ୍ରାଜିଲ ୯ମ ସ୍ଥାନରେ ରହିଛି। କିନ୍ତୁ ୨୦୨୪-୨୫ରେ ଏହି ଦେଶର ଜିଡିପି ଆକାର ୨୪୩୮ ବିଲିଅନ ଡଲାର ରହିବା ନେଇ ଦର୍ଶାଯାଇଛି। ଇଟାଲୀର ଜିଡିପି ୨୩୯୦ ବିଲିଅନ ଡଲାରରେ ରହିବ। ଏହା ବିଶ୍ବର ନବମ ବୃହତ୍‌ ଅର୍ଥନୀତିର ସ୍ଥାନ ନେବ। ଦଶମ ସ୍ଥାନରେ କାନାଡା ରହିବ। କାନାଡାର ଜିଡିପି ଆକାର ୨୩୬୧ ବିଲିଅନ ଡଲାର ରହିବ ବୋଲି ଆଇଏମ୍‌ଏଫ୍‌ ଦର୍ଶାଇଛି।