ନୂଆଦିଲ୍ଲୀ: ଆର୍ଥିକ ସଂକଟରୁ ପାକିସ୍ତାନକୁ ମୁକୁଳାଇବା ପାଇଁ ପାଣ୍ଠି ଦେବା ନିମନ୍ତେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) କଠୋର ହୋଇଛି। ଏଥିପାଇଁ ଆଇଏମ୍‌ଏଫ୍‌ ୧୧ଟି ନୂଆ ସର୍ତ୍ତ ଲଗାଇଛି। ଫଳରେ ପାକିସ୍ତାନ ବିରୋଧରେ ସର୍ତ୍ତ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ଆଇଏମ୍‌ଏଫ୍‌ ସତର୍କ କରାଇ ଦେଇଛି ଯେ ଭାରତ ସହିତ ଉତ୍ତେଜନା ବୃଦ୍ଧି ପାକିସ୍ତାନର ବିତ୍ତୀୟ ଓ ସଂସ୍କାର ଲକ୍ଷ୍ୟକୁ ବିପଦରେ ପକାଇପାରେ। 

Advertisment

ପାକିସ୍ତାନର ଯେଉଁସବୁ କାର୍ଯ୍ୟକ୍ରମ ପାଇଁ ଆଇଏମ୍‌ଏଫ୍‌ ପାଣ୍ଠି ‌ପ୍ରଦାନ କରୁଛି ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ସେଗୁଡ଼ିକୁ ପ୍ରଭାବିତ କରିପାରେ  ବୋଲି ଚିନ୍ତାପ୍ରକଟ କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ‌ଦେଖା ଦେଇଥିବା ଉତ୍ତେଜନା ଯଦି ଲାଗି ରହେ କିମ୍ବା ଅଧିକ ଖରାପ ହୁଏ ତାହେଲେ ପାକିସ୍ତାନର ବିତ୍ତୀୟ, ବାହ୍ୟ ଏବଂ ସଂସ୍କାର ଲକ୍ଷ୍ୟ ପ୍ରଭାବିତ ହୋଇପାରେ। ପାକିସ୍ତାନ ଉପରେ ଆଇଏମ୍‌ଏଫ୍‌ ଯେଉଁ ୧୧ଟି ନୂଆ ସର୍ତ୍ତ ଲଗାଇଛି ସେଗୁଡ଼ିକ ହେଲା-

୧. ଟାର୍ଗେଟ ଅନୁଯାୟୀ, ଚଳିତବର୍ଷ ଜୁନ ସୁଦ୍ଧା ୨୦୨୫-୨୬ ଆର୍ଥିକବର୍ଷ ପାଇଁ ପାକିସ୍ତାନକୁ ନୂଆ ବଜେଟ୍‌ ଗୃହୀତ କରିବାକୁ ହେବ।
୨. ପ୍ରାଦେଶିକ ସ୍ତରରେ କୃଷି ଆୟ ଟିକସରେ ସଂସ୍କାର ଆଣିବାକୁ ହେବ। ଏଥିରେ ପାକିସ୍ତାନର ୪ଟି ପ୍ରଦେଶରେ ଜୁନ ସୁଦ୍ଧା ନୂଆ ଆଇନ କାର୍ଯ୍ୟକାରୀ ହେବ। ଏଥିରେ ଟିକସଦାତା ଚିହ୍ନଟ ଓ ପଞ୍ଜୀକରଣ, ସୁଧାର ଯୋଜନାକୁ ମାନିବା, ଯୋଗାଯୋଗ ଅଭିଯାନ ଏବଂ ରିଟର୍ଣ୍ଣ ପ୍ରୋସେସିଂ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରାଯିବା ରହିଛି। 
୩. ଆଇଏମ୍‌ଏଫ୍‌ର ଗଭର୍ଣ୍ଣାନ୍ସ ଡାଇଗ୍ନୋଷ୍ଟିକ୍‌ ଆସେସମେଣ୍ଟ୍‌ ଅନୁଯାୟୀ, ପାକିସ୍ତାନ ସରକାର ଗଭର୍ଣ୍ଣାନ୍ସ ସଂସ୍କାର ରଣନୀତି ପ୍ରକାଶ କରିବ।
୪. ୨୦୨୭ ପରବର୍ତ୍ତୀ ସମୟ ପାଇଁ ସଂସ୍ଥାଗତ ଓ ନିୟାମକ ଲକ୍ଷ୍ୟ ହାସଲକୁ ନିର୍ଦ୍ଧାରଣ କରି ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ। 
୫.    ବାର୍ଷିକ ବିଦ୍ୟୁତ୍‌ ଶୁଳ୍କ ସଂକ୍ରାନ୍ତ ବିଜ୍ଞପ୍ତି ଜୁଲାଇ ସୁଦ୍ଧା ଜାରି କରାଯିବ। ଏଥିରେ ବିଦ୍ୟୁତ୍‌ ଉତ୍ପାଦନ ବାବଦ ଖର୍ଚ୍ଚ ଯେଭଳି ହାସଲ ହେବ ତାହାକୁ ଦୃଷ୍ଟିରେ ରଖି ଶୁଳ୍କ ଧାର୍ଯ୍ୟ କରାଯିବ।
୬.    ସେହିଭଳି ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ୨୦୨୬ ଫେବ୍ରୁଆରି ସୁଦ୍ଧା କରାଯିବ ଯାହାଦ୍ବାରା ଉତ୍ପାଦନ ଖର୍ଚ୍ଚ ଉଠିପାରିବ।
୭.    କ୍ୟାପ୍ଟିଭ ପାୱାର ଲେଭି ଅଧ୍ୟାଦେଶକୁ ମେ ଶେଷ ସୁଦ୍ଧା ସଂସଦ ସ୍ଥାୟୀ ରୂପ ପ୍ରଦାନ କରିବ। ଏଥିସହିତ ଶିଳ୍ପ ସଂକ୍ରାନ୍ତ ବିଦ୍ୟୁତ୍‌ ବ୍ୟବହାରକୁ ନ୍ୟାସନାଲ ଗ୍ରିଡ୍‌କୁ ସ୍ଥାନାନ୍ତର କରାଯିବ। 
୮.    ଋଣ ପରିଶୋଧ ବାବଦ ସରଚାର୍ଜ ଉପରେ ଲଗାଯାଇଥିବା ସର୍ବୋଚ୍ଚ ସୀମା ୟୁନିଟ୍‌ ପିଛା ୩ ଟଙ୍କା ୨୧କୁ ଆଇନ ଦ୍ବାରା ଉଠାଇ ଦିଆଯିବ।
୯. ସ୍ବତନ୍ତ୍ର ଟେକ୍ନୋଲୋଜି ଜୋନ୍‌ ଏବଂ ଅନ୍ୟ ଶିଳ୍ପ ପାର୍କ ବା ଜୋନ୍‌କୁ ପ୍ରଦାନ କରାଯାଉଥିବା ବିତ୍ତୀୟ ପ୍ରୋତ୍ସାହନକୁ ୨୦୩୫ ସୁଦ୍ଧା ଶେଷ କରିବା ପାଇଁ ଦେଶ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ ହେବ। 
୧୦.ୟୁଜ୍‌ଡ କାର୍‌ର ବାଣିଜ୍ୟିକ ଆମଦାନୀ ଉପରେ ଲଗାଯାଇଥିବା ସଂଖ୍ୟା କଟକଣାକୁ ଉଠାଇବା ପାଇଁ ଜୁଲାଇ ଶେଷ ସୁଦ୍ଧା ସଂସଦରେ ଆଇନ ପ୍ରଣୟନ ହେବ। (ପ୍ରାଥମିକ ପର୍ଯ୍ୟାୟରେ ୫ ବର୍ଷର ପୁରୁଣା)।
୧୧.୧୭.୬ ଟ୍ରିଲିଅନ ଟଙ୍କାର ବଜେଟ୍‌ ରାଶି ମଧ୍ୟରୁ ୧.୦୭ ଟ୍ରିଲିଅନ ଟଙ୍କା ବିକାଶମୂଳକ ବ୍ୟୟ ପାଇଁ ରଖାଯିବ।