ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଗତ ୧୦ ବର୍ଷ ମଧ୍ୟରେ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ିବା ସହ ଅନ୍ୟ ଦେଶଗୁଡ଼ିକୁ ପଛରେ ପକାଇ ଦେଇଛି। ଏହି ଦଶନ୍ଧିରେ ଭାରତୀୟ ଅର୍ଥନୀତି ଦ୍ବିଗୁଣିତ ହୋଇଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପକ୍ଷରୁ କୁହାଯାଇଛି। ୨୦୧୫ରେ ଭାରତୀୟ ଅର୍ଥନୀତି ପରିମାଣ ୨.୧ ଟ୍ରିଲିୟନ (ଲକ୍ଷ କୋଟି) ଡଲାର ଥିଲା। ୨୦୨୪ ସୁଦ୍ଧା ତାହା ୧୦୫ ପ୍ରତିଶତ ବୃଦ୍ଧି ପାଇ ୪.୩ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। 

Advertisment

ଆଇଏମ୍ଏଫ୍ ଆକଳନ କରିଛି ଯେ ଚଳିତ ବର୍ଷର ସେପ୍ଟେମ୍ବର ତ୍ରୈମାସିକ ସୁଦ୍ଧା ଜାପାନକୁ ଅତିକ୍ରମ କରି ଭାରତ ବିଶ୍ବର ଚତୁର୍ଥ ବଡ଼ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ। ଜାପାନର ଅର୍ଥନୀତି ଏବେ ୪.୪ ଟ୍ରିଲିୟନ ଡଲାର ରହିଛି। ଭାରତ ଖୁବ୍‌ଶୀଘ୍ର ଏହି ସ୍ତର ଅତିକ୍ରମ କରିବ। ଯଦି ଅଭିବୃଦ୍ଧିର ବର୍ତ୍ତମାନ ହାର ବଜାୟ ରହିବ, ତେବେ ୨୦୨୭ ସୁଦ୍ଧା ଜର୍ମାନୀକୁ ଭାରତୀୟ ଅର୍ଥନୀତି ଅତିକ୍ରମ କରିବାର ସମ୍ଭାବନା ରହିଛି। ଜର୍ମାନୀ ଅର୍ଥନୀତି ଏବେ ୪.୯ ଟ୍ରିଲିୟନ ଡଲାର ରହିଛି। ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ବିଶ୍ବର ସବୁ ଦେଶକୁ ଭାରତ ପଛରେ ପକାଇ ଦେଇଛି। ଗତ ୧୦ ବର୍ଷ ଭିତରେ ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)‌ ୧୦୫ ପ୍ରତିଶତ ବଢ଼ିଛି। ଏହା ପଛକୁ ରହିଛି ଆମେରିକା, ଯାହା ନିଜ ଅର୍ଥନୀତିକୁ ଏହି ସମୟ ଭିତରେ ୬୬ ପ୍ରତିଶତ ବଢ଼ାଇପାରିଛି।

hfhf

ଅନ୍ୟ ପକ୍ଷରେ, ଚୀନ୍ ଅର୍ଥନୀତି ୭୬ ପ୍ରତିଶତ, ଜର୍ମାନୀ ୪୪ ପ୍ରତିଶତ ଓ ବ୍ରିଟେନ୍ ଅର୍ଥନୀତି ୩୮ ପ୍ରତିଶତ ବଢ଼ିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଗତ ଦଶନ୍ଧିରେ ଜାପାନ ଅର୍ଥନୀତି ଯେଉଁଠାରେ ଥିଲା, ସେଇଠି ଅଟକି ଯାଇଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧିର ବର୍ତ୍ତମାନ ଗତି ବଜାୟ ରହିଲେ ୨୦୩୨ ସୁଦ୍ଧା ଏହା ୧୦ ଟ୍ରିଲିୟନ ଡଲାର ବିଶିଷ୍ଟ ଦେଶରେ ପରିଣତ ହୋଇପାରିବ। ପ୍ରତି ଦେଢ଼ ବର୍ଷରେ ଅର୍ଥନୀତି ୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଭାରତର ଜିଡିପି ୧୦ ବର୍ଷରେ ଦୁଇଗୁଣା ବଢ଼ିଛି। ଏହା ଖୁବ୍‌ଶୀଘ୍ର ବିଶ୍ବର ତୃତୀୟ ବଡ଼ ଅର୍ଥନୈତିକ ମହାଶକ୍ତି ହେବାକୁ ଯାଉଛି। ଆମେରିକା ବିଶ୍ବର ସବୁଠୁ ବଡ଼ ଅର୍ଥନୀତି ହୋଇ ରହିଛି ଯାହାର ପରିମାଣ ହେଉଛି ୩୦.୩ ଟ୍ରିଲିୟନ ଡଲାର। ଏହା ପଛକୁ ୧୯.୫ ଟ୍ରିଲିୟନ ଡଲାର ଅର୍ଥନୀତି ସହ ଚୀନ ଦ୍ବିତୀୟ ସ୍ଥାନରେ ରହିଛି। କିନ୍ତୁ ଋଣ ମାମଲାରେ ଏହି ଦୁଇ ଦେଶଠାରୁ ଭାରତ ମଜଭୁତ ସ୍ଥିତିରେ ରହିଛି।