ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା କଥା ଉଠାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ଶାସନ ଭାର ଗ୍ରହଣ କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର କ୍ଷମତା ଅନେକ ସଙ୍କୁଚିତ ହୋଇଥିବା ଚର୍ଚା ହେଉଛି। ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା କମ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହେଉଛି। ଏ ବାବଦରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମନ୍ତବ୍ୟ ପ୍ରଦାନ କରିବା ତାତ୍ପର୍ଯ୍ୟପୂର୍ଣ୍ଣ।
ଆଇଏମ୍‌ଏଫ୍‌ କହିଛି ଯେ ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ୱାଧୀନତାକୁ ଆହୁରି ସୁଦୃଢ଼ କରିବା ଦିଗରେ କାମ କରିବା ଦରକାର। ଉଦୀୟମାନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ଏନ୍‌ପିଏ ବୋଝ ସର୍ବୋଚ୍ଚ ସ୍ତରରେ ରହିଛି। ବିଶେଷ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଏନ୍‌ପିଏ ଅଧିକ ରହିଛି। ଏଭଳି ବୋଝର ଅର୍ଥ ହେଉଛି ନୂଆ ଋଣ ଆବଣ୍ଟନ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପାଖରେ ଏତେଟା ସୁଯୋଗ ନାହିଁ। ଆବଶ୍ୟକର ଋଣର ଅଭାବ ଯୋଗୁଁ ଭାରତର ଅଭିବୃଦ୍ଧି ପ୍ରଭାବିତ ହେଉଛି ବୋଲି ଆଇଏମ୍‌ଏଫ୍‌ କହିଛି।

ଭାରତୀୟ ଆର୍ଥିକ ବ୍ୟବସ୍ଥାର ସ୍ଥିରତାର ବାର୍ଷିକ ଅନୁଧ୍ୟାନ କରିବା ବେଳେ ଆଇଏମ୍‌ଏଫ୍‌ କହିଛି ଯେ ଏଭଳି ପରିସ୍ଥିତି ଭାରତୀୟ ବ୍ୟାଙ୍କଗୁଡ଼ିକର ସହନଶୀଳତା ପାଇଁ ଏକ ପରୀକ୍ଷା। ଏଭଳି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି ଯାହାର ଆର୍ଥିକ ସ୍ଥିତି ଆହୁରି ବିଗିଡ଼ିପାରେ। ତେବେ ଆର୍‌ବିଆଇର ସ୍ୱଧୀନତାରେ ଉନ୍ନତି ଆଣିବା ଦିଗରେ ବହୁତ ସୁଯୋଗ ରହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆର୍‌ବିଆଇକୁ ଅଧିକ କ୍ଷମତା ପ୍ରଦାନ କରାଯିବା ଦରକାର। ନିଜର କ୍ଷମତାକୁ ଯେଭଳି ଆର୍‌ବିଆଇ ସଫଳତାର ସହ ବ୍ୟବହାର କରିପାରିବ ସେଥିପାଇଁ ଆର୍‌ବିଆଇକୁ ଆବଶ୍ୟକ ସମ୍ବଳ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଆଇଏମ୍‌ଏଫ୍‌ କହିଛି।

ପୁଞ୍ଜିନିବେଶ ପରିମାଣ ବଢ଼ାଇବା ପାଇଁ ସୁଧ ହାର କମ୍‌ କରିବାକୁ ସରକାର ଆର୍‌ବିଆଇ ଉପରେ ଚାପ ପକାଉଛନ୍ତି। ଭାରତ ମୁଦ୍ରାସ୍ଫୀତି ବଢ଼ିଯିବା ଭୟରେ ରିଜର୍ଭ ବ୍ୟାଙ୍କ ସୁଧ କମାଉନାହିଁ। ଏହାକୁ ନେଇ ସରକାର ଏବଂ ଆର୍‌ବିଆଇ ମଧ୍ୟରେ ସମ୍ପର୍କ ଠିକ ନାହିଁ।

ସମ୍ବନ୍ଧିତ ଖବର