ୱାସିଂଟନ: ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ସରକାରୀ ଋଣ ପରିମାଣ ମୋଟ ଘରୋଇ ଉତ୍ପାଦର (ଜିଡିପି)ର ୧୦୦ ପ୍ରତିଶତ ଭଳି ସ୍ତର ଛୁଇଁବ। ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇ ୧୪ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଯିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏଭଳି ଆକଳନ କରିଛି। ପୂର୍ବରୁ ସରକାରୀ ଋଣ ଓ ବିତ୍ତୀୟ ନିଅଣ୍ଟ କେବେବି ଏଭଳି ସ୍ତରରେ ପହଞ୍ଚିନାହିଁ।ଆଇଏମ୍ଏଫ୍ର ନିର୍ଦେଶକ ଭିଟର୍ ଗାସ୍ପର୍ କହିଛନ୍ତି ଯେ, ଉତ୍ପାଦନରେ ବଡ଼ ଧରଣର ହ୍ରାସ ହୋଇଥିବା ବେଳେ ରାଜସ୍ବ ଆୟ ମଧ୍ୟ କମିଛି। ସେଥିପାଇଁ ସରକାରଙ୍କୁ ଅଧିକ ଋଣ କରିବାକୁ ପଡ଼ିବ। ଆୟ କମ୍ ରହିବା ଖର୍ଚ୍ଚ ବଢ଼ୁଥିବାରୁ ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇପଡ଼ିବ। ସାରା ବିଶ୍ବରେ ସରକାରଙ୍କ ଆୟ ପ୍ରଥମ ଥର ଲାଗି ଜିଡିପିର ୧୦୦% ସ୍ତର ଅତିକ୍ରମ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଗତବର୍ଷ ତୁଳନାରେ ଏହା ୨୦ ପ୍ରତିଶତ ଅଧିକ। ଆମେରିକା, ଜାପାନ ଓ ୟୁରୋପର ଅନେକ ଦେଶରେ ସରକାରୀ ଋଣ ପରିମାଣ ଅଧିକ ବଢ଼ିବ। ଗତବର୍ଷ ସାରା ବିଶ୍ବରେ ବିତ୍ତୀୟ ନିଅଣ୍ଟ ୧୦ ପ୍ରତିଶତ ଭିତରେ ରହିଥିଲା। ଚଳିତ ବର୍ଷ ତାହା ୧୪ ପ୍ରତିଶତରୁ ଅଧିକ ହୋଇଯିବ। ସରକାରଙ୍କ ରାଜସ୍ବ ଆୟ ଓ ଖର୍ଚ୍ଚ ଭିତରେ ରହୁଥିବା ଅନ୍ତରକୁ ବିତ୍ତୀୟ ନିଅଣ୍ଟ କୁହାଯାଉଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ବିକଶିତ ହେଉ କିମ୍ବା ବିକାଶଶୀଳ ରାଷ୍ଟ୍ର ସବୁଠାରେ କମ୍ ସୁଧରେ ଋଣ ମିଳିବ।
ଗାସ୍ପର୍ଙ୍କ ମତରେ ବିକଶିତ ଦେଶଗୁଡ଼ିକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଥିକ ଚାପ ରହିବ। ଏହି ସବୁ ଦେଶରେ ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ଆଉ ଏକ ପ୍ରକାର ସମସ୍ୟା। ନିମ୍ନ ଆୟ ବର୍ଗକାରୀ ଦେଶଗୁଡ଼ିକ କରୋନା ସଙ୍କଟ ପୂର୍ବରୁ ଋଣ ଚାପରେ ରହିଥିଲେ। ଏବେ ସେମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଛି। ସେହି ଦେଶଗୁଡ଼ିକ ଯେଭଳି ସଫଳତାର ସହ ଏହି ମହାମାରୀର ମୁକାବିଲା କରିପାରିବେ ସେଥିପାଇଁ ଆନ୍ତର୍ଜାତିକ ସମୁଦାୟକୁ ସହାୟତାର ହାତ ବଢ଼ାଇବାକୁ ହେବ। ଅତି ସମ୍ବେଦନଶୀଳ ଗରିବ ଦେଶଗୁଡ଼ିକରେ ଦାରିଦ୍ର୍ୟ ଓ ଅସମାନତା ବୃଦ୍ଧିକୁ ଅଟକାଇବାକୁ ପଡ଼ିବ। ଚୀନ୍ରେ ସୁଧାର ସଠିକ୍ ପଥରେ ରହିଛି। ଠିକ୍ ସମୟରେ ସ୍ବାସ୍ଥ୍ୟ କ୍ଷେତ୍ର, ପ୍ରଭାବିତ ହୋଇଥିବା ସଂସ୍ଥା ଓ ଘରଗୁଡ଼ିକୁ ଆର୍ଥିକ ସହାୟତା ଦିଆଯିବାରୁ ସେଠାରେ ନିଯୁକ୍ତି ସୁରକ୍ଷିତ ହୋଇପାରିଛି ଓ ଅନେକ ସଂସ୍ଥା ଦେବାଳିଆ ହେବାରୁ ବର୍ତି ଯାଇଛନ୍ତି। ସମ୍ବେଦନଶୀଳ ବର୍ଗର ଲୋକଙ୍କୁ ମଧ୍ୟ ଆବଶ୍ୟକ ସୁରକ୍ଷା ମିଳିପାରିଛି। ଏସବୁ ଭିତରେ ଚୀନ୍ର ଋଣ ପରିମାଣ ବଢ଼ିଛି। ଆମେରିକାରେ ମଧ୍ୟ ଜୀବିକାର ସୁରକ୍ଷା ଲାଗି ସରକାର ଠିକ୍ ସମୟରେ ପଦେକ୍ଷପ ନେଇଛନ୍ତି।
ଭାରତ ପାଖରେ ନୂଆ ପ୍ୟାକେଜ୍ ଆଣିବା ସୁଯୋଗ
ୱାସିଂଟନ: କୋଭିଡ୍-୧୯ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ବର୍ଗ ବିଶେଷ କରି ଗରିବ ପରିବାର ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏସ୍ଏମ୍ଇ) ପାଇଁ ନୂଆ ପ୍ୟାକେଜ୍ ଘୋଷଣା କରିବା ଲାଗି ଭାରତ ପାଖରେ ସୁଯୋଗ ରହିଛି ବୋଲି ଆଇଏମ୍ଏଫ୍ର ନିର୍ଦେଶକ ଭିଟର ଗାସ୍ପର୍ କହିଛନ୍ତି। ଲୋକମାନଙ୍କୁ ଖାଦ୍ୟ ସହାୟତା ଦେବା ନିହାତି ଜରୁରୀ। ମହାମାରୀର ଗମ୍ଭୀରତା ଦୃଷ୍ଟିରୁ ବିଶେଷ କରି ଖାଦ୍ୟକୁ ନେଇ ରହିଥିବା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପଡ଼ିବ। ମଧ୍ୟବର୍ତୀକାଳୀନ ସମୟରେ ସରକାରଙ୍କ ପାଖରେ ସୀମିତ ଆର୍ଥିକ ସୁଯୋଗ ରହିବ। ତେଣୁ କରୋନା ସଙ୍କଟ ଦୂର ହେବା ପରେ ଏକ ବଳିଷ୍ଠ ଯୋଜନା ଆଣିବାକୁ ହେବ। ଭାରତର ବିତ୍ତୀୟ ନିଅଣ୍ଟ ପରିମାଣ ୨୦୨୦-୨୧ରେ ୧୨.୧ ପ୍ରତିଶତକୁ ବୃଦ୍ଧି ପାଇବ। ଜିଡିପିକୁ ଋଣର ଅନୁପାତ ୮୪ ପ୍ରତିଶତ ସ୍ତରରେ ପହଂଚିବ ବୋଲି ଗାସ୍ପର୍ ଆକଳନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/international-monetary-fund-imf-1542515360.png)
