ଭୟଙ୍କର ମାନ୍ଦାବସ୍ଥା, ତୁରନ୍ତ ପଦକ୍ଷେପ ନେବାକୁ କହିଲା ଆଇଏମ୍‌ଏଫ୍‌

ୱାସିଂଟନ: ଭାରତର ଅର୍ଥନୀତି ଏବେ ଭୟଙ୍କର ମାନ୍ଦାବସ୍ଥା ଭିତରେ ରହିଛି। ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏହା କହିବା ସହିତ ନୀତିଗତ ସ୍ତରରେ ତୁରନ୍ତ ପଦକ୍ଷେପ ନେବାକୁ ଭାରତକୁ ପରାମର୍ଶ ଦେଇଛି। ସୋମବାର ଆଇଏମ୍‌ଏଫ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଆଇଏମ୍‌ଏଫ୍‌ର ନିର୍ଦ୍ଦେଶକମାନେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ନିକଟ ଅତୀତରେ ଭାରତ ହାସଲ କରି ଆସୁଥିବା ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁ ଲକ୍ଷାଧିକ ଲୋକ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠି ପାରିଥିଳଲ। କିନ୍ତୁ ୨୦୧୯ର ପ୍ରଥମାର୍ଦ୍ଧରେ ଏକାଧିକ କାରଣ ଯୋଗୁଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହୋଇଛି।

ଭାରତରେ ବର୍ତ୍ତମାନ ଦେଖାଦେଇଥିବା ମାନ୍ଦାବସ୍ଥା ଢାଞ୍ଚାଗତ ନୁହେଁ, ଏହା ଚକ୍ରାକାର ମନ୍ଥରତା ବୋଲି ଆଇଏମ୍‌ଏଫ୍ କହିବା ଭାରତକୁ କିଛିଟା ଆଶ୍ବାସନା ସଦୃଶ ହୋଇଛି। ତେବେ ଭାରତ ଅର୍ଥନୀତିରେ ଶୀଘ୍ର ସୁଧାର ଆସିବ ବୋଲି ପୂର୍ବେ ଆମେ ଯାହା ଚିନ୍ତା କରିଥିଲୁ ତାହା ହେବନାହିଁ। ଏହା ହିଁ ମୁଖ୍ୟ ସମସ୍ୟା ବୋଲି ଆଇଏମଏଫର ଏସିଆ ଏବଂ ପାସିଫିକ୍ ବିଭାଗରେ ଭାରତ ପାଇଁ ମିସନ୍ ମୁଖ୍ୟ ଭାବେ କାର୍ଯ୍ୟରତ ରାନିଲ୍ ସାଲଗାଡ଼ୋ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଭାରତର ଅଭିବୃଦ୍ଧି ୪.୫%କୁ ଖସିଯାଇଛି। ଅଧିକାଂଶ ସୂଚକାଙ୍କରୁ ଏହା ଜଣାଯାଇଛି ଯେ ଡିସେମ୍ବର ପର୍ଯ୍ୟନ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଦୁର୍ବଳ ରହିଛି। ଦେଶରେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି)ର ଋଣ ପ୍ରଦାନ ହଠାତ୍ ସଙ୍କୁଚିତ ହୋଇଯିବା ଏବଂ ଗ୍ରାମାଞ୍ଚଳରେ ଲୋକଙ୍କ ଆୟ ବୃଦ୍ଧି ଆଶାନୁରୂପ ନରହିବା କାରଣରୁ ଅର୍ଥନୀତିକୁ ଏହା ପ୍ରଭାବିତ କରିଛି। ଜାନୁଆରିରେ ଭାରତର ଜିଡିପି ବର୍ତ୍ତମାନ ତୁଳନାରେ ଆହୁରି କମିବ ବୋଲି ସାଲଗାଡ଼ୋ କହିଛନ୍ତି।

ସମ୍ବନ୍ଧିତ ଖବର