ଭୁବନେଶ୍ବର: ଯାଜପୁରର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ଫେରୋକ୍ରୋମ୍ ପ୍ଲାଣ୍ଟ୍‌କୁ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ୍‌ ଫେରୋ ଆଲୟଜ୍ ଲିମିଟେଡ୍‌ (ଇମ୍ପା) ୬୧୦ କୋଟି ଟଙ୍କାରେ ଅଧିଗ୍ରହଣ କରିଛି। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ବୁଝାମଣା ହୋଇଛି। ଏହି ଅଧିଗ୍ରହଣ ପାଇଁ ଆବଶ୍ୟକ ମଞ୍ଜୁରି ଦରକାର ଯାହା ଆସନ୍ତା ତିନି ମାସରେ ମିଳିଯିବ ବୋଲି ଇମ୍ଫା ପକ୍ଷରୁ ଆଶା ପ୍ରକଟ କରାଯାଇଛି। ଏହି ଅଧିଗ୍ରହଣ ସହ ଇମ୍ଫା ଭାରତର ସର୍ବବୃହତ୍‌ ଓ ବିଶ୍ବର ଷଷ୍ଠ ସର୍ବବୃହତ୍‌ ଫେରୋକ୍ରୋମ୍ ଉତ୍ପାଦନକାରୀ ହୋଇଛି।

Advertisment

ଇମ୍ଫା କିଣିଥିବା କାରଖାନାଟି କଳିଙ୍ଗନଗରରେ ୧୧୫ ଏକର ଜମିରେ ରହିଛି। ଉକ୍ତ କାରଖାନାରେ ଚାରିଟି ଫର୍ଣ୍ଣାସ୍‌ ରହିଛି ଯାହା ବାର୍ଷିକ ୧,୦୦,୦୦୦ ଟିପିଏ ଉତ୍ପାଦନ କରିବାକୁ ସକ୍ଷମ। ପଞ୍ଚମ ଫର୍ଣ୍ଣାସ୍‌ କାର୍ଯ୍ୟକ୍ଷମ ହେବା ପରେ ତାହାର କ୍ଷମତା ୧,୫୦,୦୦୦ ଟିପିଏକୁ ବୃଦ୍ଧି ପାଇବ। କମ୍ପାନିର ନିଜସ୍ବ କ୍ରୋମ୍ ଖଣି ନିକଟରେ ଏହି କାରଖାନାଟି ରହିଛି। ତେଣୁ ଆଗାମୀ ସମ୍ପ୍ରସାରଣ ବେଳେ ଇମ୍ଫାର ଖର୍ଚ୍ଚରେ ବ୍ୟାପକ ସଞ୍ଚୟ ହୋଇପାରିବ।

ଏହି ଅବସରରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ଏହି ଅଧିଗ୍ରହଣ ଘୋଷଣା କରି ମୁଁ ବେଶ୍ ଆନନ୍ଦିତ ଯାହା ଆମ ସମ୍ପ୍ରସାରଣ ଯୋଜନାକୁ ତ୍ବରାନ୍ବିତ କରିବ। ଆମର ଜାରି ରହିଥିବା ସମ୍ପ୍ରସାରଣ ସହ ଆମର ମୋଟ୍ ସ୍ଥାପିତ କ୍ଷମତା ୦.୫ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଫେରୋକ୍ରୋମ୍ ଚାହିଦା ବଢ଼ୁଥିବାରୁ ଏହି ଅଧିଗ୍ରହଣ ଆମକୁ ବଜାର ଅଂଶ ବଢ଼ାଇବାରେ ସକ୍ଷମ କରିବ ବୋଲି ସେ କହିଛନ୍ତି। କମ୍ପାନି ନିଜସ୍ବ ପାଣ୍ଠିରେ ଏହି ଅଧିଗ୍ରହଣ କରିଛି, ଯାହା ଆମ ବାଲାନ୍ସ ସିଟ୍‌ର ଦୃଢ଼ତାକୁ ଦର୍ଶାଉଥିବା ସେ କହିଛନ୍ତି। ଏଥି ସହିତ ଇମ୍ଫା ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ବ୍ୟବସାୟିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ରାଜସ୍ବ ୭୧୮.୬୫ କୋଟି ଟଙ୍କା, ଏବିଟ୍‌ଡା ୧୩୮.୩୪ କୋଟି ଟଙ୍କା, ଟିକସ ପରବର୍ତ୍ତୀ ଲାଭ ୯୮.୭୭ କୋଟି ଟଙ୍କା ରହିଛି। କମ୍ପାନି ପକ୍ଷରୁ ୫୦% ଅନ୍ତରୀଣ ଲାଭାଂଶ ଘୋଷଣା କରାଯାଇଛି।