ଭୁବନେଶ୍ବର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଏହାର ସ୍ମେଲଟର ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍ଡବ୍ଲୁ ଏନର୍ଜି ସହ ଏକ ଯୌଥ ଉଦ୍ୟୋଗ ଘୋଷଣା କରିଛି। ଇମ୍ଫା ପକ୍ଷରୁ ଜେଏସ୍ଡବ୍ଲୁ ଗ୍ରିନ୍ ଏନର୍ଜି ୱାନ୍ ଲିମିଟେଡ୍ ଓ ଜେଏସ୍ଡବ୍ଲୁ ଗ୍ରିନ୍ ଏନର୍ଜି ସେଭେନ୍ ଲିମିଟେଡ୍ ସହିତ ରାଜିନାମା ସ୍ବାକ୍ଷର କରାଯାଇଛି। ଏହା ୫୦ ମେଗାୱାଟ୍ର ସୌର ଓ ୧୦୦ ମେଗାୱାଟ୍ର ପବନ ଶକ୍ତି ପ୍ରକଳ୍ପରେ ୮୩.୨୬ କୋଟି ଟଙ୍କା ନିବେଶ କରିବ।
ଏଥି ସହିତ ଇମ୍ଫା ପକ୍ଷରୁ ନିଜସ୍ବ ବ୍ୟବହାର ଲାଗି ୨୫ ବର୍ଷିଆ ଅବଧିର ଏକ ବିଦ୍ୟୁତ୍ ଶକ୍ତି କ୍ରୟ ରାଜିନାମା ସ୍ବାକ୍ଷର କରାଯିବ। ଇମ୍ଫା ପକ୍ଷରୁ ଯାଜପୁରର କଳିଙ୍ଗନଗରଠାରେ ବାର୍ଷିକ ୧,୦୦,୦୦୦ ଟନ୍ କ୍ଷମତା ବିଶିଷ୍ଟ ଏକ ନୂଆ କାରଖାନା ସ୍ଥାପନ କରାଯାଉଛି। ଏହା କମ୍ପାନିର ଫେରୋକ୍ରୋମ୍ ଉତ୍ପାଦନ କ୍ଷମତାକୁ ବଢ଼ାଇବ। ଏହି ରାଜିନାମା ସମ୍ପର୍କରେ କମ୍ପାନିର ଉପସଭାପତି ବିନୟ ଅଗ୍ରୱାଲ୍ କହିଛନ୍ତି ଯେ କାର୍ବନ ଫୁଟ୍ପ୍ରିଣ୍ଟ କମ୍ କରିବା ଲାଗି ଅକ୍ଷୟ ଶକ୍ତି ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସୌର ଓ ପବନ ଶକ୍ତିର ମିଶ୍ରଣ ସହ ଆମେ ଏକ ସବୁଜ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛୁ ବୋଲି ସେ କହିଛନ୍ତି।