ଓ୍ଵାସିଂଟନ: ବିମୁଦ୍ରାକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)କୁ ଐତିହାସିକ ଉଦ୍ୟମ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ କ୍ରିଷ୍ଟିନ୍ ଲାଗାର୍ଡ କହିଛନ୍ତି। ଏହି ଦୁଇ ପଦକ୍ଷେପ ଭାରତର ଅର୍ଥନୀତିକୁ ସୁଦୃଢ଼ ପଥରେ ଅବସ୍ଥାପିତ କରିଛି ବୋଲି ସେ କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଆମେ ଭାରତର ଅଭିବୃଦ୍ଧି ସାମାନ୍ୟ କମ୍ ରହିବ ବୋଲି ଆକଳନ କରିଛୁ। କିନ୍ତୁ ଆମର ବିଶ୍ୱାସ ରହିଛି ଯେ ବିଗତ ଦୁଇ ବର୍ଷ ଭିତରେ ଯେଉଁ ଢ଼ାଞ୍ଚାଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଭାରତର ଅର୍ଥନୀତିକୁ ମଧ୍ୟମ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସୁଦୃଢ଼ ପଥରେ ରଖିବ। ବିମୁଦ୍ରାକରଣ ଏବଂ ଜିଏସ୍ଟିକୁ ସେ ଐତିହାସିକ ଉଦ୍ୟମ ଭାବେ ବର୍ଣ୍ଣନା କରିଛନ୍ତି। ଏହାର ପ୍ରଭାବରେ ଅର୍ଥନୀତିରେ ଅଳ୍ପ କିଛି ସମୟ ପାଇଁ ମାନ୍ଦାବସ୍ଥାକୁ ନେଇ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଲାଗାର୍ଡ କହିଛନ୍ତି ଯେ ଭାରତର ବିତ୍ତୀୟ ନିଅଣ୍ଟ ହ୍ରାସ ପାଇଛି। ମୁଦ୍ରାସ୍ଫୀତି ମଧ୍ୟ ଉଲ୍ଲେଖନୀୟ ଭାବେ କମିଛି। ଏହା ସହିତ ଯେଉଁ ଢ଼ାଞ୍ଚାଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଯୁବ ଭାରତୀୟମାନେ ଭବିଷ୍ୟତରେ ଯେଉଁଭଳି ନିଯୁକ୍ତି ଚାହୁଁଛନ୍ତି ତାହା ସୃଷ୍ଟି ହେବ।
ଆଇଏମ୍୍ଏଫ୍ ଭାରତ ପାଇଁ ଏହାର ଅଭିବୃଦ୍ଧି ଆକଳନକୁ ୬.୭%କୁ ହ୍ରାସ ପାଇଛି। ପୂର୍ବ ଆକଳନ ତୁଳନାରେ ଏହା ୦.୫% କମ୍। ବିମୁଦ୍ରାକରଣ ଏବଂ ଜିଏସ୍ଟିକୁ ବିଚାରକୁ ନେଇ ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି କମ୍ ରହିବ ବୋଲି କହିଛି। ୨୦୧୮ରେ ଭାରତର ଅଭିବୃଦ୍ଧି ୭.୪% ରହିବ ବୋଲି ମଧ୍ୟ ଆଇଏମ୍ଏଫ୍ ଆକଳନ କରିଛି ଯାହା ଏହାର ପୂର୍ବ ଆକଳନ ତୁଳନାରେ ୦.୩% କମ୍। ଯେଉଁ କାରଣ ଯୋଗୁଁ ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି କମ୍ ରହିବ ବୋଲି ଆକଳନ କରିଛି ସେହି ଆଇଏମ୍ଏଫ୍୍ର ମୁଖ୍ୟ ଏବେ ସମାନ ଦୁଇଟି କାରଣକୁ ଭାରତର ଐତିହାସିକ ଉଦ୍ୟମ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିମୁଦ୍ରାକରଣକୁ ‘ଐତିହାସିକ ଭୁଲ’ ବୋଲି କହିଥିଲେ। କେବଳ ମନମୋହନ ନୁହନ୍ତି ଦେଶର ବିଭିନ୍ନ ବର୍ଗ ପକ୍ଷରୁ ବିମୁଦ୍ରାକରଣକୁ ସମାଲୋଚନା କରାଯାଇଥିଲା। ଅବଶ୍ୟ କେତେକ ବର୍ଗର ଲୋକ ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି।
ଆଇଏମ୍ଏଫ୍ କୋଟା ସଂସ୍କାର ଶୀଘ୍ର ହେଉ: ଜେଟ୍ଲି
/sambad/media/post_attachments/wp-content/uploads/2017/10/Jaitley_2143973f-300x186.jpg)
ଓ୍ଵାସିଂଟନ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କୋଟା ସଂସ୍କାର ଶୀଘ୍ର କରିବାକୁ ଆମେରିକା ଗସ୍ତରେ ଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି। କୋଟା ସଂସ୍କାର ଉଦୀୟମାନ ରାଷ୍ଟ୍ରଗୁଡ଼ିକୁ ସୁହାଇବା ଭଳି ହେବା ଦରକାର। ଏହା ହେଲେ ଦୁନିଆର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇପାରିବ ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରା ଏବଂ ଫାଇନାନ୍ସ କମିଟି (ଆଇଏମ୍ଏଫ୍୍ସି) ପକ୍ଷରୁ ଆୟୋଜନ କରାଯାଇଥିବା ଏକ ଆଲୋଚନାଚକ୍ରରେ ଯୋଗ ଦେଇ ଜେଟ୍ଲି କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରର କେତେକ ପଦକ୍ଷେପ ଉଦୀୟମାନ ରାଷ୍ଟ୍ରଗୁଡ଼ିକ ଉପରେ ଚାପ ସୃଷ୍ଟି କରୁଛି। ଆମେରିକା ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାରରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରି ସେ ଏହା କହିଛନ୍ତି। ନିଯୁକ୍ତିର ଅଭାବ ଏବଂ ବିଶ୍ୱ ମାନ୍ଦାବସ୍ଥାକୁ ସେ ପ୍ରମୁଖ ସମସ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରତି ବର୍ଷ ଭାରତରେ ୧୨ ନିୟୁତ ଯୁବପିଢ଼ି କର୍ମ କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ସେମାନଙ୍କ ପାଇଁ ଆବଶ୍ୟକ ପରିମାଣର ନିଯୁକ୍ତି ସୃଷ୍ଟି କରିବା ପ୍ରତି ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/download-4-10.jpg)