ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାରତ ସମେତ ବିଶ୍ବର ବିଭିନ୍ନ ଦେଶଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏପ୍ରିଲ ୨ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଟ୍ରମ୍ପ ପାଲଟା ଶୁଳ୍କ ଘୋଷଣା କରିବା ପରଠାରୁ ବିଶ୍ବ ବାଣିଜ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଛି।
ଏଭଳି ସ୍ଥିତିରେ ଏମ୍କେ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଆକଳନ କରାଯାଇଛି ଯେ ଯଦି ପାଲଟା ଶୁଳ୍କକୁ ୧୦ ପ୍ରତିଶତରେ ଧାର୍ଯ୍ୟ କରାଯାଏ ତାହେଲେ ଭାରତର ରପ୍ତାନି ୬ ବିଲିଅନ ଡଲାର (ମୋଟ ଜିଡିପିର ୦.୬ ପ୍ରତିଶତ) କମିଯିବ। ଯଦି ଆମେରିକା ୨୫ ପ୍ରତିଶତ ଶୁଳ୍କ ଲାଗୁକରେ ତାହେଲେ ଏହାର ପ୍ରଭାବରେ ଭାରତର ୩୧ ବିଲିଅନ ଡଲାର ମୂଲ୍ୟର ରପ୍ତାନି ବାଧାପ୍ରାପ୍ତ ହେବ।
ଯଦିଓ ପାଲଟା ଶୁଳ୍କକୁ ଆମେରିକା କିଭଳି କାର୍ଯ୍ୟକାରୀ କରିବ ତାହା ଅସ୍ପଷ୍ଟ ରହିଛି ତଥାପି ଭାରତ ଉପରେ ଏହାର ବଡ଼ଧରଣର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଇଛି। ଆମେରିକା ଭାରତର ଏକ ବଡ଼ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର। ଆମେରିକାର ପାଲଟା ଶୁଳ୍କ ଲାଗୁ ହେବା ପରେ ଭାରତର ପୋଷାକ, ମୂଲ୍ୟବାନ ପ୍ରସ୍ତର ଏବଂ ଗହଣା ଆଦି ଶିଳ୍ପ ଅଧିକ ମାତ୍ରାରେ କ୍ଷତି ସହିବ।
ଏଥିସହିତ ସଂପୂର୍ଣ୍ଣ ଭାବେ ଆସେମ୍ବଲ ହୋଇଥିବା ଗାଡ଼ି ଉପରେ ଏପ୍ରିଲ ୩ରୁ ଆମେରିକା ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବ। ସେହିଭଳି ଅଟୋମୋବାଇଲ ଉପକରଣ ଉପରେ ମେ ୩ ରୁ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେବ। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଅଟୋମୋବାଇଲ ଉପକରଣ ଶିଳ୍ପ ଉପରେ ଆମେରିକା ଶୁଳ୍କ ଲାଗୁ କଲେ ଏହାର ପ୍ରଭାବ କେତେ ରହିବ ତାହାର ଆକଳନ ଆରମ୍ଭ ହୋଇଯାଇଛି। ସରକାର ଏ ସଂପର୍କରେ ଅଟୋ ଉପକରଣ ଶିଳ୍ପଠାରୁ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛନ୍ତି। ଆମେରିକାକୁ ଭାରତ ପାଖାପାଖି ୬.୭୯ ବିଲିଅନ ଡଲାର ମୂଲ୍ୟ କାର ଉପକରଣ ରପ୍ତାନି କରିଥାଏ। ତେଣୁ ଏହା ଉପରେ ବଡ଼ଧରଣର ପ୍ରଭାବ ପଡ଼ିବ। ନିକଟରେ ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ ନୂଆଦିଲ୍ଲୀ ଅନେକ ଆମେରିକୀୟ ଆମଦାନୀ ଉପରେ ଶୁଳ୍କ ହ୍ରାସ କରିବାକୁ ରାଜି ହୋଇଛି। ଏହାହେଲେ ପରିସ୍ଥିତିରେ କିଛି ପରିବର୍ତ୍ତନ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/30/fzGB1gzAc4UuYkgWlEtR.jpg)